ରେପୋ ରେଟ୍‌ ୪%, ରିଭର୍ସ ରେପୋ ୩.୩୫%ରେ ଅପରିବର୍ତ୍ତିତ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନକାରୀ କମିଟି (ଏମପିସି) ରେପୋ ଏବଂ ରିଭର୍ସ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । କମିଟିର ଦ୍ୱିମାସିକ ସମୀକ୍ଷା ବୈଠକର ନିଷ୍କର୍ସ ସମ୍ପର୍କରେ ପ୍ରକାଶ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ରେପୋ ରେଟ୍‌ ୪% ଏବଂ ରିଭର୍ସ ରେପୋକୁ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ କମିଟି ନିଷ୍ପତ୍ତି ନେଇଛି । ଅଭିବୃଦ୍ଧିର ପୁନରୁଦ୍ଧାର ସହିତ ତାହାକୁ ବଜାୟ ରଖାଯିବା ଏବଂ କୋଭିଡ-୧୯ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଦାସ କହିଛନ୍ତି, ଭାରତୀୟ ଅର୍ଥନୀତି ପୁଣି ପୂର୍ବ ଅବସ୍ଥାକୁ ଫେରୁଥିବା ନେଇ ଯଥେଷ୍ଟ ସୂଚନା ମିଳିଛି ଏବଂ ଆଗାମୀ ପାର୍ବଣ ଋତୁ ଏ ଦିଗରେ ସହାୟକ ହେବ । ଗତ ଏମପିସି ବୈଠକ ତୁଳନାରେ ଭାରତ ସଂପ୍ରତି ଖୁବ ଭଲ ସ୍ଥିତିରେ ରହିଛି । ଅଭିବୃଦ୍ଧି କାରକଗୁଡିକ ମଜଭୁତ ହେବାରେ ଲାଗିଛି ଏବଂ ମୁଦ୍ରାସ୍ଫୀତି ଧାରା ଆଶା କରାଯାଉଥିବା ସ୍ତରଠାରୁ ଅଧିକ ଭଲ ରହିଛି ।

Comments are closed.