ଜିଲ୍ଲାର ପ୍ରଥମ ମୃତ୍ତିକା ପରୀକ୍ଷାଗାର ଉଦ୍‌ଘାଟିତ

ଆଠଗଡ : କଟକ ଜିଲ୍ଲାର ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ରାଧାମାଧବପୁର ଗ୍ରାମରେ ଜିଲ୍ଲାର ପ୍ରଥମ ମୃତ୍ତିକା ପରୀକ୍ଷା କେନ୍ଦ୍ର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଆଠଗଡ ଅଞ୍ଚଳର ଅନ୍ୟତମ ସଫଳ ଚାଷୀ ପ୍ରମୋଦ କୁମାର ସେଠୀଙ୍କ ପୁଅ ଅନନ୍ତ ସେଠୀଙ୍କ ମାଲିକାନାରେ ସ୍ଥାପିତ ଏହି ମୃତ୍ତିକା ପରୀକ୍ଷା କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ଘାଟକ ଭାବେ ଆଠଗଡ କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରା, ମୁଖ୍ୟଅତିଥି ଭାବେ ସହକାରୀ କୃଷି ନିର୍ଦେଶକ ତଥା ମୃତ୍ତିକା ରସାୟନବିତ୍‌ କିରଣମୟୀ ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ଅନ୍ୟତମ ସହକାରୀ କୃଷି ର୍ଦେଶକ ବିଶ୍ୱନାଥ ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ଓ ସରପଞ୍ଚ ପ୍ରଭାକର ରାଉତ ଯୋଗଦେଇ ଏହି ମୃତ୍ତିକା ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଫଳରେ ଅଞ୍ଚଳର ଚାଷୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ ।  ମୃତ୍ତିକା ରସାୟନବିତ୍‌ ଶ୍ରୀମତୀ ଷଡଙ୍ଗୀ ନିଜ ଭାଷଣରେ କହିଲେ ଯେ, ଆଗାମୀ ଖରିଫ୍‌ ଋତୁ ପୂର୍ବରୁ ଚାଷୀମାନେ ନିଜ ଚାଷ ଜମିର ମୃର୍ତ୍ତିକା ଏହି ପରୀକ୍ଷାଗାରରେ କମ୍ପ୍ୟୁଟରଯୁକ୍ତ ଆଧୁନିକ ଯନ୍ତ୍ର ଦ୍ୱାରା ପରୀକ୍ଷା କରାଇ ପରାମର୍ଶ ଅନୁଯାୟୀ ଉପଚାର କଲେ ଭଲ ଫସଲ ଅମଳ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ କୃଷି ଅଧିକାରୀମାନେ ଏହି ମୃତ୍ତିକା ପରୀକ୍ଷଣ କେନ୍ଦ୍ର ଦ୍ୱାରା ଚାଷୀମାନେ କିପରି ଓ କେଉଁ ଧରଣର ଉପକୃତ ହୋଇପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । କଟକ ଜିଲ୍ଲାରେ ଏହିପରି ୩ଟି ମୃତ୍ତିକା ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ମଞ୍ଜୁର ହୋଇଥିବାବେଳେ ପ୍ରଥମେ ଆଠଗଡ ବ୍ଲକରେ ଗୁରୁବାର ଉଦ୍‌ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବାଙ୍କୀ କଳାପଥର ଅଞ୍ଚଳର ପଣ୍ଡାଳମ ଓ ନରସିଂହପୁର ବ୍ଲକର ଅଲରା ଠାରେ ଅନ୍ୟ ଦୁଇଟି କେନ୍ଦ୍ର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମୃତ୍ତିକା ରସାୟନବିତ୍‌ ଶ୍ରୀମତୀ ଷଡଙ୍ଗୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଭୂପ୍ରସାଦ ସେଠୀ, ଅରୂପାନନ୍ଦ ସାହୁ, ସମବାୟବିତ୍‌ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ସମେତ ବହୁ ଗ୍ରାମବାସୀ ଓ ଚାଷୀ ଯୋଗଦେଇଥିଲେ ।

Comments are closed.