ଭାରତୀୟ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ସୁସ୍ଥ ଏବଂ ସୁରକ୍ଷିତ : ଶକ୍ତିକାନ୍ତ ଦାସ

ୟେସ୍‍ ବ୍ୟାଙ୍କ୍‍ର ପୁନଃ ବିନ୍ୟାଶ ପାଇଁ ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

ମୁମ୍ବଇ :  ୟେସ୍‍ ବ୍ୟାଙ୍କ୍‍ର ପୁନଃ ବିନ୍ୟାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ୟେସ୍‍ ବ୍ୟାଙ୍କ୍‍ର ପୁନଃ ବିନ୍ୟାସ ଯୋଜନା ଏବଂ କରୋନା ଭୂତାଣୁ ସଂକ୍ରମଣର ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ଦାସ ସୋମବାର ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ମୁଖ୍ୟାଳୟରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର ଅଗ୍ରଣୀ ବ୍ୟାଙ୍କ୍‍ର ଗଭର୍ଣ୍ଣର କହିଛନ୍ତି, ୟେସ୍‍ ବ୍ୟାଙ୍କ୍‍ର ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ପୁନଃ ବିନ୍ୟାସ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପ୍ରଦାନ କରି ଗଭର୍ଣ୍ଣର କହିଛନ୍ତି, ଗ୍ରାହକମାନେ ବ୍ୟତୀବ୍ୟସ୍ତ ହେବାର କୌଣସି କାରଣ ନାହିଁ ଏବଂ ତରବରିଆ ଭାବେ ବ୍ୟାଙ୍କ୍‍ରୁ ଟଙ୍କା ଉଠାଇ ନେବାର ମଧ୍ୟ ଆବଶ୍ୟକତା ନାହିଁ। ସେ ଆହୁରି କହିଛନ୍ତି, ଭାରତୀୟ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ସୁସ୍ଥ ଏବଂ ସୁରକ୍ଷିତ। ଆର୍‍.ବି.ଆଇ. ଗଭର୍ଣ୍ଣର କହିଛନ୍ତି, ଏହି ନୂତନ ଯୋଜନା ଅନୁଯାୟୀ ୟେସ୍‍ ବ୍ୟାଙ୍କ୍‍ର ପରିଶୋଧ ସ୍ଥଗନ ଅବଧିକୁ ଆସନ୍ତା ବୁଧବାର ଦିନ ଉଠାଇ ନିଆଯିବ ଏବଂ ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ନୂଆ ବୋର୍ଡ ଦାୟିତ୍ୱ ଗ୍ରହଣ କରିବ। ଏହି ବିଶ୍ୱସନୀୟ ଓ ଦୀର୍ଘସ୍ଥାୟୀ ପୁନରୁଦ୍ଧାର ଯୋଜନା ଦ୍ୱାରା ୟେସ୍‍ ବ୍ୟାଙ୍କ୍‍ର ପରିସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ଶ୍ରୀ ଦାସ କହିଛନ୍ତି।

Image Courtesy: Amar ujala

କୋଭିଡ୍‍-୧୯ ଓ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ଆର୍‍.ବି.ଆଇ. ଗଭର୍ଣ୍ଣର କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଶ୍ୱବ୍ୟାପି ମହାମାରୀର ପ୍ରଭାବ ଦ୍ୱାରା ଭାରତୀୟ ଅର୍ଥନୀତିରେ ମନ୍ଥରତା ପରିଲକ୍ଷିତ ହେବାର ଆଶଙ୍କା ରହିଛି। ପର୍ଯ୍ୟଟନ, ସେବା ଏବଂ ବିମାନ ଚଳାଚଳ ଆଦି କ୍ଷେତ୍ର କୋଭିଡ୍‍-୧୯ ଯୋଗୁଁ ପ୍ରଭାବିତ ହେଉଛି। ସେ କହିଛନ୍ତି, ଭାରତ ଏହି ମହାମାରୀରୁ ମୁକ୍ତ ନୁହେଁ ଏବଂ ବର୍ତ୍ତମାନ ଘରୋଇ ଅର୍ଥନୀତି ଏକ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ତେବେ ଏହି ଭୟାବହତା ଭୂତାଣୁ ସଂକ୍ରମଣର ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କତାର ସହିତ ସମସ୍ତ କାର୍ଯ୍ୟାନ୍ୱୟନ ନୀତିକୁ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ପକ୍ଷରୁ ଡିଜିଟାଲ୍‍ ନେଣଦେଣକୁ ଉତ୍ସାହିତ କରିବା ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Comments are closed.