କେନ୍ଦ୍ରକୁ ୫୭,୧୨୮ କୋଟିର ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କେନ୍ଦ୍ରୀୟ ବୋର୍ଡ ୨୦୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୫୭,୧୨୮ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଦିନ ଜାରି ବିଜ୍ଞପ୍ତିରେ ବୋର୍ଡ ଜରୁରୀକାଳୀନ ପାଣ୍ଠି ସୀମାକୁ ୫.୫% ରଖିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ ଅନୁଯାୟୀ ସରକାର ଆରବିଆଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ଲାଭାଂଶ ହିସାବରେ ୬୦ ହଜାର କୋଟି ପାଇବା ନେଇ ଆକଳନ କରିଥିଲେ।

ଗତ ବର୍ଷ ଆରବିଆଇ ୨୦୧୯ ଜୁନରେ ଶେଷ ହୋଇଥିବା ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୧.୭୬ ଟ୍ରିଲିୟନ୍ ହସ୍ତାନ୍ତର କରିଥିଲା। ଏହାଛଡା ଫେବୃଆରୀ ୨୦୧୯ରେ ୫.୨୬ ଟ୍ରିଲିୟନ୍ ଏବଂ ମଧ୍ୟବର୍ତ୍ତିକାଳୀନ ଲାଭାଂଶ ସ୍ୱରୂପ ୨୮ ହଜାର କୋଟି ପ୍ରଦାନ କରିଥିଲା। ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଲ ଜାଲାନଙ୍କ ଅଧ୍ୟକ୍ଷତାରେ ୨୦୧୮ରେ ଗଠିତ କମିଟି ଏହା ସୁପାରିଶ କରିଥିଲା।

ଆରବିଆଇ ଏବଂ ସରକାର ବିଭିନ୍ନ ଆର୍ଥିକ ବର୍ଷ ଅନୁସରଣ କରୁଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ବିଜ୍ଞପ୍ତିରେ କହିଛି ଯେ ସରକାରଙ୍କ ଭଳି ୨୦୧୧ ଏପ୍ରିଲ ୧ରୁ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ସମୟ ସୀମାରେ ପରିବର୍ତ୍ତନ ପ୍ରକ୍ରିୟାରେ ଅଛି। ତେବେ ୨୦୨୦ ଜୁନରେ ଶେଷ ହୋଇଥିବା ବର୍ଷ ପାଇଁ ଆରବିଆଇ ସରକାରଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଦେଇନାହିଁ କାରଣ ଜାଲାନ୍ କମିଟି ସୁପାରିଶ କରିଥିଲା ​​ଯେ କେବଳ ଜରୁରୀ ପରିସ୍ଥିତିରେ ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଦିଆଯାଉ।

Comments are closed.