ଆର୍ବିଆଇ ମୁଦ୍ରାନୀତି କମିଟି ବୈଠକ ୨୯ରୁ; ସୁଧହାର ଅପରିବର୍ତ୍ତିତ ରହିପାରେ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି ବୈଠକ ଚଳିତମାସ ୨୯ରେ ବସିବାକୁ ଯାଉଛି। ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ଚଳିତମାସ ୨୯ରୁ ଅକ୍ଟୋବର ପହିଲା ଯାଏ ଚାଲିବ। ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିବାକୁ ବିଚାର କରୁଥିବା ଜଣାଯାଇଛି। ବିଭିନ୍ନ ସାମଗ୍ରୀର ଯୋଗାଣ ଜନିତ ସମସ୍ୟା ଦେଖାଦେଇଥିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।
ଚଳିତମାସ ୨୯ରୁ ଆରମ୍ଭ ହେଉଥିବା ରିଜର୍ଭ ବ୍ୟାଙ୍କର ଏହି ସୁଧହାର ସମୀକ୍ଷା ବୈଠକ ଅକ୍ଟୋବର ପହିଲାରେ ଶେଷ ହେବ। ସେହିଦିନ ସୁଧହାର ଉପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। କରୋନା ମହାମାରୀ ଯୋଗୁ ସମ୍ପ୍ରତି ଦେଶର ଅର୍ଥନୀତି ଅତି ଖରାପ ସ୍ଥିତିରେ ରହିଛି। ଚଳିତବର୍ଷ ଫେବୃଆରୀଠାରୁ ରିଜର୍ଭ ବ୍ୟାଙ୍କ ପ୍ରମୁଖ ସୁଧହାରରେ ୧୧୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ଘଟାଇଛି। ତେବେ ଚଳିତ ଥର ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିପାରେ ବୋଲି ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ ଆକଳନ କରିଛନ୍ତି।