ପାରିବାରିକ କଳହରୁ ପୁଅ-ସ୍ତ୍ରୀକୁ ଗୁଳି, ସ୍ୱାମୀ ଗିରଫ

ରାୟଗଡ଼: ପାରିବାରିକ କଳହକୁ କେନ୍ଦ୍ର କରି ଘରର ମୁରବୀ ନିଜ ପତ୍ନୀ ଓ ପୁଅକୁ ଗୁଳି କରି ମାରିଦେବା ଉଦ୍ୟମ ଫସର ଫାଟିଛି। ଗୁଳି ମାଡରୁ ମା ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ବାପାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଏକ ଘଟଣା ଘଟିଛି ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଳାସିଂ ଗ୍ରାମରେ । ପୁଲିସ ସୂଚନା ମୁତାବକ ଶନିବାର ରାତିର ଏଭଳି ଘଟଣା ଘଟିଥିଲେ ହେଁ ଗତକାଲି ଏହା ଲୋକଲୋଚନକୁ ଆସିଛି। ରାୟଗଡ଼ ଥାନା ଅନ୍ତର୍ଗତ କୁମୁଳାସିଂ ଗ୍ରାମର ଜିହୁଦା ଘଣ୍ଟଙ୍କ ଘରେ କୌଣସି କାରଣକୁ ନେଇ ସ୍ତ୍ରୀ ତରାବତୀ ଘଣ୍ଟ (୫୩) ଓ ପୁଅ ଜିଖରୀୟ ଘଣ୍ଟ (୨୨)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଜିହୁଦା ପତ୍ନୀ ଓ ପୁଅଙ୍କୁ ମାଡ ମାରିଥିଲା। ମା’-ପୁଅ ଏହାର ପ୍ରତିବାଦ କରିବାରୁ ଜିହୁଦା ଘରେ ଥିବା ଏକ ଦେଶୀ ବନ୍ଧୁକକରୁ ଅତର୍କିତ ଗୁଳି ଚାଳନା କରିଥିଲା। ସେଥିରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ମା’- ପୁଅ। ଗୁଳି ନବାଜିବାରୁ ଉତ୍ତ୍ୟକ୍ତ ଜିହୁଦା ପୁନର୍ବାର ମାରଣାସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲା। ଜିହୁଦା ସହ ଧସ୍ତାଧସ୍ତି କରି ମା-ପୁଅ କୌଶଳକ୍ରମେ ଘରୁ ବାହାରି ଯାଇ ସାହିପଡିଶାଙ୍କୁ ଜଣାଇବା ସହ ରାୟଗଡ଼ ଥାନାରେ ପହଞ୍ଚିଇଥିଲେ। ମା’ ଓ ପୁଅଙ୍କ ଏତଲା କ୍ରମେ ରାୟଗଡ଼ ଥାନା ପୁଲିସ ୭୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଜିହୁଦାଙ୍କୁ ଗିରଫ କରି ପୁଲିସ ରବିବାର କୋର୍ଟ ଚାଲାଣ କରିଛି। ଏହାସହ ତା ଠାରୁ ଏକ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଥିବା ଏସ୍ଆଇ କୃଷ୍ଣଚନ୍ଦ୍ର ମଲିକ ସୂଚନା ଦେଇଛନ୍ତି।

Comments are closed.