ଦୁର୍ଘଟଣାରେ ରାୟଗଡ଼ା ଜିଲା ପରିଷଦ ପୂର୍ବତନ ସଭାପତିଙ୍କ ମୃତ୍ୟୁ

ରାୟଗଡ଼ା: ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରାୟଗଡ଼ା ଜିଲା ପରିଷଦର ପୂର୍ବତନ ସଭାପତି ପୁରୁଷୋତ୍ତମ ଗମାଙ୍ଗୋଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ରାୟଗଡ଼ା ଜିଲାରେ ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସମେତ ନିଜ ଘର ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଜିଲା ଜଜ୍‌ କୋର୍ଟ ୨୦୧୭ରେ ହୋଇଥିବା ରାୟଗଡ଼ା ଜିଲା ପରିଷଦ ସଭାପତି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହି ନିର୍ବାଚନରେ ପୁରୁଷୋତ୍ତମ ଗମାଙ୍ଗୋ କଂଗ୍ରେସରୁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥିରେ ଅନିୟମିତତା ହୋଇଥିବା ଦର୍ଶାଇ ବିଜେଡିର ଗଦାଧର ପୁଆଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମଙ୍ଗଳବାର କୋର୍ଟ ମାମଲାର ବିଚାର କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହା ପରେ ପୁରୁଷୋତ୍ତମ କୋର୍ଟରୁ ନିଜ ଘରକୁ ବାଇକରେ ଫେରୁଥିଲେ। ମାତ୍ର ରାମନାଗୁଡ଼ାରୁ ଗୁଣପୁର ଯିବା ବାଟରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.