ସେବା ପାଇଁ ଶାନ୍ତିଙ୍କୁ ପଦ୍ମଶ୍ରୀ

ଅନାଥଙ୍କ ପାଇଁ ଏହା ଏକ ବଡ଼ ଉପହାର: ଶାନ୍ତିଦେବୀ

ରାୟଗଡ଼ା/ଗୁଣପୁର: ସେବା ପାଇଁ ଶାନ୍ତିଦେବୀଙ୍କୁ ମିଳିଛି ଦେଶର ସର୍ବୋଚ୍ଚ ଚତୁର୍ଥ ସର୍ବବୃହତ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି। ସମାଜସେବାରେ ବ୍ରତୀ ଏହି ବୟୋବୃଦ୍ଧା ଅନାଥଙ୍କ ମା’ ଭାବେ ପରିଚିତ ଥିବାବେଳେ ପଦ୍ମଶ୍ରୀ ସମ୍ମାନର ଅଧିକାରୀ ଖବର ପ୍ରଚାରିତ ହେବା ପରେ ରାୟଗଡ଼ା ଜିଲାରେ ଖୁସିର ଲହରି ଖେଳିଯାଇଛି। ଏହା ଅନାଥଙ୍କୁ ଏକ ବଡ଼ ଉପହାର ବୋଲି ନିଜ ପ୍ରତିକ୍ରିୟାରେ ଶାନ୍ତିଦେବୀ ପ୍ରକାଶ କରିଛନ୍ତି।

ସେ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ। ସମାଜସେବାର ଅର୍ଥକୁ ସେ ଠିକ୍ ରୂପେ ବୁଝିବା ସହ ଜୀବନର ୭୦ବର୍ଷ ଅନାଥ ପିଲାଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ଜଣେ ମହିଳା ହୋଇ ଭୂ-ଦାନ ଆନ୍ଦୋଳନର ଜଣେ ଆଗଧାଡ଼ିର କର୍ମୀ ଭାବେ ଜୀବନବ୍ୟାପୀ କାମ କରିଛନ୍ତି। ସେ ହେଉଛନ୍ତି ଶାନ୍ତି ଦେବୀ ବା ସବୁରି ପରିଚିତ ଶାନ୍ତି ଅପା। ଜୀବନବ୍ୟାପୀ ସମାଜସେବା ପାଇଁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଛି। ଆଜି ସକାଳୁ ସକାଳୁ କେନ୍ଦ୍ର ଗୃହ ବିଭାଗର ଜଣେ ସଚିବ ତାଙ୍କୁ ଫୋନ୍ କରି ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ସୂଚନା ଦେଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସୁବେଛାର ସୁଅ ଛୁଟିଛି। ରାୟଗଡା ଜିଲା ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ ସେବା ସମାଜ ଗଠନ କରି ଅନାଥ ପିଲାଙ୍କୁ ଶିକ୍ଷା ଦେବା ସହ ଲାଳନପାଳନ କରୁଛନ୍ତି। ୧୯୩୪ମସିହାରେ ବାଲେଶ୍ବର ଜିଲାରେ ଜନ୍ମିତ ଶାନ୍ତି ଅପା ମାତ୍ର ୧୭ବର୍ଷ ବୟସରେ ସମାଜସେବୀ ରତନ ଦାସଙ୍କୁ ବିବାହ କରନ୍ତି। ଆଉ ତା’ପରେ ଅବିଭକ୍ତ କୋରାପୁଟ ଜିଲାକୁ ଆସି ଆଦିବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ପ୍ରଥମେ କୋରାପୁଟ ଜିଲାର ଶଙ୍ଖଳପଦରରେ ଏକ ଆଶ୍ରମ ସ୍ଥାପନ କରିବା ସହ ୧୯୫୫ମସିହାରେ ବିନୋବା ଭାବେଙ୍କ ସଂସ୍ପର୍ଶରେ ଆସି ଭୁ-ଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ପରେ ୧୯୬୪ମସିହାରେ ସେବା ସମାଜ ଗଠନ କରି ଅନାଥ କନ୍ୟାଙ୍କ ଶିକ୍ଷାର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ। ଆଉ ଏସବୁ ପ୍ରେରଣା ତାଙ୍କ ସ୍ବାମୀ ସ୍ବର୍ଗତ ଡକ୍ଟର ରତନ ଦାସଙ୍କ ଠାରୁ ସେ ପାଇଥିଲେ। ବଲାଙ୍ଗୀର, କଳାହାଣ୍ଡି ଏବଂ ସମ୍ବଲପୁର ଭୂଦାନ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ଶାନ୍ତିଦେବୀ। ରାୟଗଡା ଜିଲା ଗୋପାଳବାଡି ଠାରେ ମାଳତୀ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କଲେ। ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ଜଣ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟାମ କରିଥିଲେ। ୧୯୬୪ରେ ଆଦିବାସୀଙ୍କ ସହାୟତରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡାରେ ଆରମ୍ଭ କଲେ ସେବା ସମାଜ। ଏଠାରେ ଅନାଥ, ଗରୀବ ପିଲାଙ୍କୁ ରଖି ଲାଲନପାଳନର ଦାୟିତ୍ୱ ନେଲେ। ଏହି ସବୁକାମରେ ସ୍ୱର୍ଗତ ରତନ ଦାଶଙ୍କୁ ସହଯୋଗ ରହୁଥିଲା। ଦୀର୍ଘ ୬୦ବର୍ଷ ହେଲା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛନ୍ତି। ଏଭଳି ମର୍ଯ୍ୟଦାପୂର୍ଣ୍ଣ ସମ୍ମାନ ଏହି ଅଞ୍ଚଳର ପ୍ରଥମେ ଅଟେ। ରାୟଗଡା ଜିଲାର ଲିମାମଡା, ଜଭରଗୁଡା, ଗୁଣପୁର ଓ ରାୟଗଡ଼ାରେ ସେବା ସମାଜ ଗଠନ କରି ଅନେକ ଅନାଥ କନ୍ୟାକୁ ଲାଳନ ପାଳନ କରୁଛନ୍ତି। ନିଜର ଏହି ସେବା କାର୍ଯ୍ୟ ପାଇଁ ଶାନ୍ତି ଦେବୀଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ସମ୍ମାନ ମିଳିଛି। ୧୯୯୪ମସିହାରେ ଜମୁନାଲାଲ୍ ବଜାଜ୍ ପୁରସ୍କାର, ୧୯୯୫ରେ ଶାରଳା ପୁରସ୍କାର,୨୦୦୯ରେ ସର୍ବୋଦୟ ସମ୍ମାନ, ୨୦୦୪ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ, ୨୦୧୪ମସିହାରେ ଓଡିଶା ମାନବାଧିକାର ସମ୍ମାନ, ନିଳୀମାରାଣୀ ସ୍ମୃତି ସମ୍ମାନ ମଧ୍ୟ ପାଇଛନ୍ତି। କେବଳ ସମାଜସେବା କାହିଁକି ଲେଖାଲେଖିରେ ମଧ୍ୟ ଶାନ୍ତି ଦେବୀଙ୍କ ଅନେକ ରୁଚି ରହିଥିବା ଜଣାପଡିଛି। ବିନୋବା ଭାବେଙ୍କ ଆତ୍ମଜୀବନୀ ଅହିଂସାର ଅନ୍ବେଷଣକୁ ସେ ଓଡିଆରେ ଅନୁବାଦ କରି ବେଶ୍ ପ୍ରଶଂସିିତ ହୋଇପାରିଛନ୍ତି । ଜୀବନବ୍ୟାପୀ ଅନବରତ ବେସାହାରାଙ୍କ ସେବାରେ ନିଜକୁ ସମର୍ପଣ କରିଛନ୍ତି । ଉପାଧି ଓ ଉପଢୌକନରେ ରୁଚି ନ ଥିବା ଏହି ମହିୟସୀ ମହିଳାଙ୍କ କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ମନୋନୀତ କରିଥିବା ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ‘ସମାଜ’କୁ ପ୍ରତିକ୍ରିୟା ଦେଇ ଏହା ଅନାଥମାନଙ୍କ ପାଇଁ ଏକ ବଡ଼ ଉପହାର ବୋଲି କହିଛନ୍ତି। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହି ଅନାଥ ପିଲାଙ୍କ ସେବାରେ ବିତାଇଦେବି ବୋଲି ପ୍ରକାଶ କରି ଏଭଳି ସମ୍ମାନ ସମାଜସେବା କ୍ଷେତ୍ରରେ ଆଗକୁ ଯିବାରେ ଆହୁରି ସହାୟକ ହେବ ବୋଲି କହିଛନ୍ତି। ଉପଜିଲାପାଳ ସେନାଲ ଜେନାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.