ପଡ଼ିଆ ଜମିରେ ଚାଷ କରି ସ୍ୱାବଲମ୍ବୀ, ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଚାଷୀ ଦମ୍ପତି

ରାୟଗଡ଼ା: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର। ଆଜିକା ସମୟରେ ବିଭିନ୍ନ ରକମର ଚାଷ କରି ଜଣେ ଦମ୍ପତି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପଡ଼ିଆ ପଡିଥିବା ଜମିରେ ଚାଷ କରି ଫଳାଇ ପାରିଛନ୍ତି ବିଭିନ୍ନ ଫଳ ସହ ପନିପରିବା। ଏହି ଚାଷ କରି ତମ୍ପତି ଖୁସିରେ ରହିଥିବା ବେଳେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଯୁବ ପିଢିଙ୍କ ପାଇଁ ପ୍ରେରଣା ଦାୟୀ ହୋଇଛନ୍ତି। ଏହିପରି ଦମ୍ପତି ହେଲେ ରାୟଗଡା ଜିଲା ଆଦିବାସୀ ବହୁଳ ଅଞ୍ଚଳର ମିଶ୍ରିତ ଚାଷୀ ସହଦେବ ମେଲେକା, ତାଙ୍କ ସ୍ତ୍ରୀ ସରସ୍ୱତୀ ମେଲେକା। ସରକାରଙ୍କ ପାଣ୍ଠିକୁ ନ ଅନାଇ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ୪ ବର୍ଷ ତଳେ ପଡିଆ ଜମିରେ ଧାନ, କପା, କାନ୍ଦୁଲ, ପିଜୁଳି, ଅମୃତଭଣ୍ଡା, ମୁଗ, ମାଣ୍ଡିଆ ଆଦି ଫଳାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ପ୍ରାୟ ଅଢେଇ ବର୍ଷ ତଳେ ଗୋଟିଏ ଏକର ଜମିରେ ପିଜୁଳି ଚାଷ କରିଥିଲେ ସହଦେବ। ଉଦ୍ୟାନ ବିଭାଗ ତରଫରୁ ଚାରା ଦେବା ପାଇଁ କୌଣସି ସୁବିଧା ନ ଥିବାରୁ ସହଦେବ ରାଜମହେନ୍ଦ୍ରୀରୁ ପ୍ରତି ଗଛକୁ ୭୦ଟଙ୍କା ବ୍ୟୟରେ ୫୪୦ଟି ପିଜୁଳି ଚାରା ଆଣି ଲଗାଇଥିଲେ। ବର୍ଷକୁ ୩ ଥର ପିଜୁଳି ଫଳୁଥିବା ବେଳେ ସପ୍ତାହକୁ ୫୫ କେ.ଜି ତାଙ୍କ ବଗିଚାରୁ ବାହାରୁଥିଲା। ସ୍ଥାନୀୟ ବ୍ୟବସାୟୀଙ୍କୁ କେ.ଜି ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି କରୁଥିଲେ। କେବଳ ପିଜୁଳି ନୁହେଁ ଅମୃତଭଣ୍ଡା ମଧ୍ୟ ଚାଷ କରନ୍ତି। ସପ୍ତାହକୁ ୫୦ କେ.ଜି ଅମୃତଭଣ୍ଡା ଉତ୍ପାଦନ ହେଉଥିବା ବେଳେ କଞ୍ଚା ଅମୃତଭଣ୍ଡାକୁ ବିଦ୍ୟାଳୟକୁ ଯୋଗାଣ କରିଥାନ୍ତି। କରୋନା ପାଇଁ ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିବାରୁ କେବଳ ପାଚିଲା ଅମୃତଭଣ୍ଡା ବିକ୍ରି କରୁଛନ୍ତି। ଅମୃତଭଣ୍ଡା ଛଡା କଞ୍ଚା ଓ ପାଚିଲା କଦଳୀ, ବାଇଗଣ ମଧ୍ୟ ଚାଷ କରିଥାନ୍ତି। ଏଥିସହ ୫ ଏକର ଜମିରେ ଧାନ ଚାଷ କରୁଛନ୍ତି। ଆଉ ୩ ଏକର ଜମିରେ କପା ଚାଷ କରୁଛନ୍ତି। ଶସ୍ୟ ଜାତୀୟ ଖାଦ୍ୟ ତଥା କାନ୍ଦୁଲ, ମୁଗ, ହରଡ, ମାଣ୍ଡିଆ ମଧ୍ୟ ନିଜ ଚାଷ ଜମିରେ ଫଳାଉଛନ୍ତିି। ଆଉ ୨ ଏକର ଜମିରେ ବନ୍ଧ ତିଆରି କରି ମାଛ ଚାଷ କରିଛନ୍ତି। ସହଦେବଙ୍କୁ ସରକାର ସାହା ହେବା ସହ ମତ୍ସ୍ୟ ବିଭାଗ ତରଫରୁ ୨ ଲକ୍ଷ ଟଙ୍କା ପୋଖରୀ ଖୋଳିବା ପାଇଁ ସହାୟତା ଦିଆଯାଇଥିଲା। ମତ୍ସ୍ୟ ଚାଷ କରିବା ପାଇଁ ସରକାରଙ୍କ ତରଫରୁ ଦେଢ ଏକରକୁ ୪୦୦୦ ଯାଆଁଳା ଦେବାର ସୁବିଧା ଥିଲେ ମଧ୍ୟ ଅଧିକ ଖାଦ୍ୟର ଦରକାର ଥିବା ଓ ଦେଖାଶୁଣା ଖର୍ଚ୍ଚ ଅଧିକ ହେବାରୁ ତାହା ସମ୍ଭବପର ହେଉନାହିଁ। ପଡୋଶୀ ରାଜ୍ୟ ଆନ୍ଧ୍ରର ମତ୍ସ୍ୟ ଚାଷୀ ବର୍ଷକୁ ୨ ଥର ମାଛ ଉତ୍ପାଦନ କରୁଥିବା ବେଳେ କେବଳ ମତ୍ସ୍ୟ ଖାଦ୍ୟ ଯୋଗାଣର ଅଭାବ ପାଇଁ ସହଦେବଙ୍କ ପୋଖରୀରୁ ବର୍ଷକୁ ଥରେ ହିଁ ମାଛ ଉତ୍ପାଦନ ହେଉଛି। ସରକାରଙ୍କ ମତ୍ସ୍ୟ ବିଭାଗ ମାଛ ଛାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଥିବା ବେଳେ ମତ୍ସ୍ୟ ଖାଦ୍ୟ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା କରିନାହିଁ। ମତ୍ସ୍ୟ ଖାଦ୍ୟ ଆଣିବା ପାଇଁ ଚାଷୀ ପଡୋଶୀ ଆନ୍ଧ୍ରର ବିଜୟୱାଡା ଯାଉଛନ୍ତି। ଘୋଡା ଛ’ଅ ଟଙ୍କାକୁ ଦାନା ନ’ଅ ଟଙ୍କା ହେଲା ଭଳି ମାଛ ଦାନାର କ୍ରୟ ମୂଲ୍ୟ ୧୦୦୦ରୁ ୧୨୦୦ ପଡୁଥିବା ବେଳେ ସହଦେବ ତଥା ଅନ୍ୟ ରାୟଗଡା ଚାଷୀଙ୍କୁ ୩ ଗଣରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସେମାନେ କଳାହାଣ୍ଡି ଜିଲା ଉପରେ ନିର୍ଭର କଲେ ସେଠାକୁ ମଧ୍ୟ ଯିବା ଆସିବା ଖର୍ଚ୍ଚ ଅଧିକ ପଡୁଛି। ମତ୍ସ୍ୟ ବିଭାଗ ତରଫରୁ ରାୟଗଡାରେ ମାଛ ଦାନା ଯୋଗାଉବାର ବ୍ୟବସ୍ଥା କରାଗଲେ ଜିଲାର ସମସ୍ତ ମାଛ ଚାଷୀ ଆନ୍ଧ୍ର ଚାଷୀଙ୍କ ଭଳି ବର୍ଷକୁ ଦୁଇ ଥର ମାଛ ଉତ୍ପାଦନ କରିପାରନ୍ତେ। ସହଦେବ ନିଜ ପୋଖରୀରୁ ଆସନ୍ତା ମାର୍ଚ୍ଚରେ ୮ କ୍ୱିଣ୍ଟାଲ ମାଛ ଉତ୍ପାଦନ ହେବ ବୋଲି ସୂଚନା ଦେଇଛନ୍ତି। ଆଗକୁ ଜିଆ କ୍ଷେତ କରିବେ, କିଛି କୁକୁଡା ରଖାଯାଇଥିବା ସହଦେବ କହିଛନ୍ତି। ମହୁ ଚାଷରେ କମ୍‍ ପରିଶ୍ରମରେ ଅଧିକ ଲାଭ ଥିବାରୁ ମହୁ ଚାଷ କରିବାକୁ ଇଚ୍ଛା ଥିଲେ ମଧ୍ୟ ବାକ୍ସ ପାଇଁ ଆବଶ୍ୟକ ହେଉଥିବା ଫାଟକ ମିଳୁ ନ ଥିବାରୁ ମହୁ ଚାଷ କରିପାରି ନାହାନ୍ତି। ସରକାରଙ୍କ ତରଫରୁ ଆତ୍ମା ଯୋଜନାରେ ୧.୨୦ଲକ୍ଷ ମିଳିବାକୁ ଥିବା ବେଳେ ପ୍ରଥମ ଥର ୩୦ହଜାର ଛଡା ଆଉ କିଛି ମିଳିନି। ଏ ନେଇ ରାୟଗଡା ଜିଲା ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ଜଗନ୍ନାଥ ବିନ୍ଧାଣୀଙ୍କୁ ପଚାରିବାରୁ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ଆତ୍ମା ଯୋଜନା ଜିଲାରେ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି।

Comments are closed.