ରାୟଗଡ଼ାରେ ଶହେରୁ ୪୮ ଗରିବ

ରାୟଗଡ଼ା : ଶିଳ୍ପ ସମୃଦ୍ଧ ରାୟଗଡା ଜିଲାରେ ଭରପୁର ରହିଛି ଖଣିଜ ସମ୍ପଦ। ତଥାପି ଦାରିଦ୍ର୍ୟ ତାଲିକାରେ ରହିଛି ରାୟଗଡା ଜିଲା। ଜିଲା ଖଣିଜ ପାଣ୍ଠୁରୁ ମିଳୁଥିବା ଅନୁଦାନ ଜିଲା ନୁହେଁ ବାହାର ସ୍ଥାନରେ ଖର୍ଚ୍ଚ କରାଯାଉଛି। ପ୍ରତିଦିନ ଦାରିଦ୍ର୍ୟତା ସହ ଜିଲାର ଅଧା ଭାଗ ଲୋକ ଲଢ଼ୁଥିବା ବେଳେ କିଛି ଭିକ୍ଷୁକ ବୃତ୍ତି କରି ପେଟ ପୋଷୁଛନ୍ତି। ଦାରିଦ୍ର୍ୟ ନେଇ ନିକଟରେ ନୀତି ଆୟୋଗ ପ୍ରକାଶ କରିଥିବା ତଥ୍ୟରେ ଅବିଭକ୍ତ କୋରାପୁଟ ଜିଲା ସର୍ବାଗ୍ରେ ରହିଛି। ରାୟଗଡ଼ାରେ ପ୍ରତି ଶହେ ଜଣରେ ୪୮ ଲୋକ ଦାରିଦ୍ର୍ୟର କଷାଘାତରେ ପେଶି ହେଉଛନ୍ତି। ସରକାରୀ ଯୋଜନା ଏଠି କେବଳ ଲୋକ ଦେଖାଣିଆ ହୋଇଯାଇଛି। ସାମାଜିକ ସଶକ୍ତିକରଣ ବିଭାଗ ମିଳିଥିବା ତଥ୍ୟ ଅନୁଯାୟୀ ରାୟଗଡ଼ା ଜିଲାରେ ୧୭୬ ଭିକ୍ଷୁକ ରହିଛନ୍ତି। ବେସରକାରୀସ୍ତରରେ ଏହାର ସଂଖ୍ୟା ଅଧିକ ଥିବା ଜଣାପଡିଛି। ଜିଲାରେ ଥିବା ବିଭିନ୍ନ ମଠ, ମନ୍ଦିର, ମସଜିଦ୍, ଯାନି, ଯାତରା, ଭୋଜି ନିକଟରେ ଲାଗି ରହିଥିବା ଭିକାରୀଙ୍କ ଭିଡ଼ରୁ ହିଁ ଏହା ପ୍ରମାଣିତ। ଭିକ୍ଷୁକ ପୁନର୍ବାସ କେନ୍ଦ୍ର ମାଧ୍ୟମରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାୟଗଡା ଜିଲା ପାଇଁ ସରକାର ସେପରି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାପଡିଛି। ବୃହତ୍ତ ଶିଳ୍ପକୁ ଛାଡ଼ିଲେ ଅନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟ ରହିଛି ଜିଲାରେ। କୁଶଳୀ ମାନବ ସମ୍ବଳ, ଦକ୍ଷତାର ଅଭାବ ଯୋଗୁ କେଉଁଠି ବି ଏହି ଅଞ୍ଚଳର ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିପାରୁନି। ବାହାର ରାଜ୍ୟ ଓ କମ୍ପାନୀରେ କାମ କରି ଅଭିଜ୍ଞତା ଥିବା ପ୍ରାର୍ଥୀକୁ ଗୁରୁତ୍ବ ଦେଉଛନ୍ତି। ସୁରକ୍ଷା କର୍ମୀ ସମେତ ଅନ୍ୟ ଛୋଟ ପଦବିରେ ନିଯୁକ୍ତି ପାଇଁ କମ୍ପାନୀଗୁଡ଼ିକ ଆଉଟସୋର୍ସିଂ ଉପରେ ନିର୍ଭର କରୁଥିବାରୁ ଉକ୍ତ ସଂସ୍ଥା ଏକ ତୃତୀୟାଂଶ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇ ସିଂହଭାଗ ପ୍ରାର୍ଥୀକୁ ବାହାର ଜିଲା ଓ ରାଜ୍ୟରୁ ଆଣି ନିୟୋଜନ କରୁଛି। ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳି ନ ଥିବାରୁ ଅନେକ ଶିକ୍ଷିତ ବେକାର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଗତ କରୋନାର ପ୍ରଥମ ଲହରରେ ଜିଲାକୁ ପ୍ରାୟ ୧୬ ହଜାର ଲୋକ ଫେରିଥିଲେ। ପ୍ରାୟ ୯ ହଜାରରୁ ଅଧିକ ଯୁବକଯୁବତୀ ରହିଛନ୍ତି। ଏହାର ଠିକ୍ ତଥ୍ୟ ଜିଲା ଶ୍ରମ ବିଭାଗ ପାଖରେ ନାହିଁ। ଜିଲାର ଶିକ୍ଷାହାର ଅତି ନୈରାଶ୍ୟ ରହିଥିବା ବେଳେ ଲୋକଙ୍କୁ ସ୍ବାବଲମ୍ବୀ କରିବାରେ ପ୍ରଶାସନ ସେତେଟା ସଫଳ ହୋଇପାରିନି। ଓଡ଼ିଶା ଜୀବିକା ମିଶନ ଓ ମନରେଗା ଯୋଜନାରେ ଲୋକଙ୍କୁ ଆର୍ଥିକ ସ୍ବଚ୍ଛଳ କରିବା ପାଇଁ ଉଦ୍ୟମ କରାଯାଉଥିବା ସତ୍ତ୍ବେ ତାହା ଫଳପ୍ରଦ ହୋଇପାରୁନି। ସ୍ବୟଂସହାୟକ ଗୋଷ୍ଠୀ ତିଆରି କରି ବ୍ୟାଙ୍କ ମାଧ୍ୟମରେ ପ୍ରଶାସନ ଋଣ ପ୍ରଦାନ କରି ସହାୟକ ହେବାକୁ ଉଦ୍ୟମ କରୁଥିବା ବେଳେ ଅନେକ ଏଯାଏଁ ଦାରିଦ୍ର୍ୟ ସୀମାରେଖରୁ ମୁକୁଳି ପାରୁନାହାନ୍ତି।

Comments are closed.