ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ତରଫରୁ କୋଭିଡ ସଚେତନତା ରଥକୁ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ରାୟଗଡ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ତ, କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ, ଜୟପୁର, ପକ୍ଷରୁ ରାୟଗଡ ଜିଲ୍ଲା ମୁଖ୍ୟାଳୟ ଠାରେ କୋରନା ରୋଗ ଠାରୁ ନିଜକୁ ବଞ୍ଚାଇ ରଖିବା ଲାଗି କେଉଁ କେଉଁ ସଠିକ ବ୍ୟବହାର ପଦ୍ଧତି ଆପଣେଇବାକୁ ହେବ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ କୋଭିଡ ୧୯ ସଚେତନତା ରଥ ଆଜି ଶୁଭାରମ୍ଭ ହୋଇଛି। ଏହାକୁ ରାୟଗଡ଼ ଜିଲାର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସବୁଜ ପତାକା ଦେଖାଇ ପ୍ରଚାର ଅଭିଯାନ ଶୁଭାରମ୍ଭ କରିଛନ୍ତି।ଏଥି ସହିତ କରୋନା ସଚେତନତା ବାର୍ତ୍ତା ସମ୍ବଧୀୟ ପୋଷ୍ଟର ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅଭିଯାନ ୨୦ ଦିନ ଧରି ସମଗ୍ର ଜିଲାରେ କୋଭିଡ ସଚେତନତା ର ବାର୍ତା ପ୍ରଚାର କରିବ। ପ୍ରଚାର ରଥରେ କରୋନା ଠାରୁ ରକ୍ଷା ପାଇବା ପାଇଁ ଥିବା ବିଭିନ୍ନ ଉପାୟ ଗୁଡିକ ଯଥା ମାସ୍କ ପିନ୍ଧିବା, ହାତ ଧୋଇବା /ସାନିଟେଜର ବ୍ୟବହାର କରିବା ଓ ପରସ୍ପର ମଧ୍ୟରେ ଦୁଇ ଗଜ ଅର୍ଥାତ ୬ ଫୁଟ ଦୂରତା ରଖିବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା ପାଇଁ ବିଭିନ୍ନ ପରାମର୍ଶଥିବା ବାର୍ତା ଜରିଆରେ ଲୋକମାନଙ୍କୁ ସଚେତନ କରାଯିବ।

ପ୍ରଚାର ଗାଡ଼ିରେ କରୋନା ସମ୍ପର୍କୀୟ ବିଭିନ୍ନ ସଚେତନତାର ବାର୍ତ୍ତା ସବୁ ରହିଛି। ଏହା ସହିତ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଗୀତ ମାଧ୍ୟମରେ ପ୍ରଚାର କରାଯିବ । ଏହି କୋଭିଡ ରଥ ଜିଲାର ସବୁ ବ୍ଲକ, ଗ୍ରାମ ପଞ୍ଚାୟତ ତଥା ଗ୍ରାମୀଣ ସ୍ତରରେ ଗାଁ ଗାଁ ବୁଲିବ ଏହାବାଦ କୋଭିଡ ସଚେତନତା ବାର୍ତ୍ତା ଥିବା ଷ୍ଟିକର ମଧ୍ୟ ବିଭିନ୍ନ ଛକ, ବସ ଷ୍ଟାଣ୍ଡ, ଜନଗହଳି ସ୍ଥାନ ତଥା ଲୋକଙ୍କ ଚଳାଚଳ କରୁଥିବା ମୁଖ୍ୟ ସ୍ଥାନ ମାନଙ୍କରେ ଷ୍ଟିକର ଲଗାଯିବ । ଯଦ୍ୱାରା ବେପରୁଆ ଲୋକମାନେ ଏହି କୋରନା ସମୟରେ ନିଜକୁ ସତର୍କ ଓ ସୁରକ୍ଷିତ ରଖି ପାରିବେ। ବର୍ତମାନ ମଧ୍ୟ କୋରାନା ରହିଛି ସମ୍ପୂର୍ଣ ରୂପେ ଯାଇନାହିଁ, ଯେଉଁ ପର୍ୟ୍ୟନ୍ତ ଟୀକା ବାହାରି ନାହିଁ ସେ ପର୍ୟ୍ୟନ୍ତ କୌଣସି ପରିସ୍ଥିତିରେ ଅବହେଳା ନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ପୋଷ୍ଟର ଜରିଆରେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାୟଗଡ ଜିଲା ରାଜ୍ୟ ର ୧୦ଟି ଅତି ପ୍ରଭାବିତ ଜିଲା ମଧ୍ୟରେ ଆସୁଥିବାରୁ ଏବଂ ଏହି ଶୀତଋତୁରେ କୋଭିଡ ବ୍ୟାପିବା ଆଶଙ୍କା ଥିବାରୁ ଏହି ପ୍ରଚାର କାର୍ଯ୍ୟକ୍ରମ କରାଯାଉଛି। ଆଜି ଠାରୁ ଆସନ୍ତା ଡିସେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚାର ଚାଲିବ। ଉଦଘାଟନୀ ଉତ୍ସବରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଲୋକ ମାନଙ୍କ ପାଇଁ ଉଦିଷ୍ଟ ଏହି ମହତ ଜନ କଲ୍ୟାଣ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା ଲାଗି ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି।

Comments are closed.