ଦୂର ହେବ ପଥର କାରିଗରଙ୍କ କଂଚାମାଲ ସମସ୍ୟା, ମାସକ ମଧ୍ୟରେ ସ୍ୱତନ୍ତ୍ର ନିୟମ ପ୍ରଣୟନ

ଦୀର୍ଘ ବର୍ଷ ଧରି ଆମ ରାଜ୍ୟର ହଜାର ହଜାର ପଥର ଶିଳ୍ପୀ କାରିଗରୀ ପାଇଁ ପଥର ନପାଇ ଅତ୍ୟନ୍ତ ଦୁର୍ବିସହ ଜୀବନ ଜିଉଁଛନ୍ତି।ଏଣିକି ସେମାନଙ୍କୁ ପଥର ପାଇଁ ହଇରାଣ ହେବାକୁ ପଡିବନି। ରାଜ୍ୟ ସରକାର ପଥର ଶିଳ୍ପୀମାନଙ୍କୁ ସେମାନଙ୍କ କାରିଗର ଉପଯୋଗୀ ରାଜ୍ୟରେ ମିଳୁଥିବା ସାହାଣ, ମୁଗୁନି ଓ ଖଡି ଆଦି ପଥର ଯୋଗାଇ ଦେବେ। କାରିଗରମାନେ ସହଜ ଓ ସୁରୁଖୁରରେ କିଭଳି ପଥର ପାଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସକ ମଧ୍ୟରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯିବ। ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଏ ସଂକ୍ରାନ୍ତରେ ସଚିବ ଶ୍ରୀସେଠୀ ଓଡିଶା ଶିଳ୍ପୀ ମହାସଂଘର ସହଯୋଗ ଲୋଡିଛନ୍ତି। ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ପରିସରରେ କାରିଗରୀ ଉପଯୁକ୍ତ ପଥର ସମସ୍ୟାର ସମାଧାନ ପାଇଁ ବସିଥିବା ଏକ ଉଚ୍ଚସ୍ତରିୟ କମିଟି ବୈଠକରେ ସଚିବ ଶ୍ରୀ ସେଠୀ ଏହି ସୂଚନା ଦେଇଛନ୍ତି।

ପଥର କାରିଗରଙ୍କ ସହ ଆଲୋଚନା ପରେ ସମସ୍ତଙ୍କୁ ସୁହାଇବା ଭଳି ଏକ ଚିଠା ପ୍ରସ୍ତାବ ଖୁବ ଶୀଘ୍ର ସଂସ୍କୃତି ବିଭାଗକୁ ପ୍ରଦାନ କରାଯିବ ବୋଲି ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ସୂଚନା ଦେଇଛନ୍ତି। ଆଲୋଚନା ପ୍ରାରମ୍ଭରେ ପଦ୍ମଶ୍ରୀ ସୁଦର୍ଶନ ସାହୁ ପଥର ଅଭାବରୁ ଅନେକ ବୃତ୍ତି ଛାଡିବା ସହ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।ଓଡିଶାରେ କାରିଗରୀ ଉପଯୁକ୍ତ ସାହାଣ, ମୁଗୁନି ଓ ଖଡି ପଥର ବିପୁଳ ପରିମାଣରେ ଗଚ୍ଛିତ ଥିବା ବେଳେ ଲିଜ ନଥିବାରୁ କାରିଗରଙ୍କୁ ପଥର ଖଣ୍ଡେ ମିଳୁନାହିଁ। ପେଟ ପୋଡି ଯାଉଥିବା କାରିଗରଟିଏ ଲୁଚା ଚୋରାରେ ପଥର ଖଣ୍ଡ ଆଣୁଥିବା ବେଳେ ପୁଲିସ, ରାଜସ୍ୱ ଓ ଜଂଗଲ ବିଭାଗ କର୍ମଚାରୀଙ୍କ ଜୁଲମର ଶିକାର ହେଉଛି। ରାଜ୍ୟ ସରକାର ତୁରନ୍ତ ଏହାର ପ୍ରତିକାର କରିବାକୁ ସୁଦର୍ଶନ ସାହୁ ନିବେଦନ କରିଥିଲେ। ପରେ ମହାସଂଘର ସଂପାଦକ ପ୍ରିୟରଂଜନ କର ରାଜ୍ୟର କେଉଁ ସ୍ଥାନରେ କାରିଗର ଉପଯୋଗୀ କି କି ପଥର ମିଳୁଛି ସେ ସଂପର୍କରେ ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ପରିସରରେ ପଥର ସମସ୍ୟାର ସମାଧାନ ପାଇଁ ବସିଥିବା ଏହି ଉଚ୍ଚସ୍ତରିୟ କମିଟିବୈଠକରେ ସଂସ୍କୃତି ଓ ରାଜସ୍ୱ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଉପସ୍ଥିତ ଅନ୍ୟ ସରକାରୀ ପଦାଧିକାରୀଗଣଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଜିଓଲୋଜି ଡେପୁଟି ଡାଇରେକ୍ଟର ପି କେଚାନ୍ଦ, ମାଇନର ମିନେରାଲସ ଡାଇରେକ୍ଟର ବିଭୂତିଭୁଷଣ ଦାସ, ମାଇନସ ଡାଇରେକ୍ଟର ୟୁ.ସି. ଜେନା, ଷ୍ଟେଟ ଆର୍କିଓଲୋଜି ଅଧ୍ୟକ୍ଷ ଅଶ୍ୱନୀ ଶତପଥୀ, ରାଜ୍ୟ ସଂଗ୍ରହାଳୟ ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ ଏବଂ ରାଜ୍ୟ ସଂସ୍କୃତି ବିଭାଗ ଡେପୁଟି ଡାଇରେକ୍ଟର ସୁବୋଧ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମହାସଂଘର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର ଓ ବିଶିଷ୍ଠ ପଥର ଶିଳ୍ପୀ କଳ୍ପତରୁ ମହାରଣା ଏ ସଂକ୍ରାନ୍ତିୟ ଆଲୋଚନାରେ ଭାଗ ନେଇ ନିଜର ମତାମତ ରଖିଥିଲେ। ସୂଚନା ଯୋଗ୍ୟ, ୨୦୧୨ ମସିହାରୁ ଓଡିଶା ଶିଳ୍ପୀ ମହାସଂଘ ପଥର କାରିଗରଙ୍କ କଂଚାମାଲ ସମସ୍ୟାର ସମାଧାନ ପାଇଁ ପତ୍ରାଳାପ, ଧାରଣା ଓ ଆନ୍ଦୋଳନ ମାଧ୍ୟମରେ ଉଦ୍ୟମ କରି ଆସୁଛି।

Comments are closed.