ଘରୋଇ ମ୍ୟାଚରେ ବିସିସିଆଇ ଲୋଗୋ ବ୍ୟବହାର କରି ଫସିଲେ ଅଶ୍ବିନ : ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ : ଘରୋଇ ମ୍ୟାଚ ବିଜୟ ହଜାରେ ଟ୍ରଫିର ଫାଇନାଲରେ ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ବିସିସିଆଇର ଲୋଗୋ ବ୍ୟବହାର କରି ବିବାଦରେ ଛନ୍ଦିହୋଇଯାଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ଜୋରିମାନା ମଧ୍ୟ ଲାଗିପାରେ। ବିଜୟ ହଜାରେ ଟ୍ରଫିରେ ଅଶ୍ବିନ ତାମିଲନାଡୁ ପକ୍ଷରୁ ମ୍ୟାଚ୍ ଖେଳୁଛନ୍ତି।
ସୂଚନା ଅନୁସାରେ, ଗୁରୁବାର କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଅଶ୍ୱିନ୍ ନିଜ ଦଳ ତାମିଲନାଡୁ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ସମୟରେ ବିସିସିଆଇ ଲୋଗୋ ଥିବା ଏକ ହେଲମେଟ୍ ପିନ୍ଧିଥିଲେ। ଯେଉଁଥିପାଇଁ ମ୍ୟାଚ୍ ରେଫରୀ ଚିନ୍ମୟ ଶର୍ମା ତାଙ୍କ ଉପରେ ଜୋରିମାନା ଲଗାଇପାରନ୍ତି ବୋଲି ଜଣାପଡିଛି।
ନିୟମ ଅନୁସାରେ ଅଶ୍ୱିନ୍ ବୋର୍ଡର ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ଉପରେ ଜୋରିମାନା ଲଗାଯିବା ଦରକାର ବୋଲି ବିସିସିଆଇର ଜଣେ କାର୍ଯ୍ୟକାରୀ କହିଛନ୍ତି।

Comments are closed.