ରେଭେନ୍ସା ଆକାଉଣ୍ଟରୁ ୨ଲକ୍ଷ ଗାଏବ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଛି। ଦୁର୍ବୃତ୍ତମାନେ ୨ଟି ଜାଲ ଚେକ୍‍ ମାଧ୍ୟମରେ ଏହି ଟଙ୍କା ଉଠାଇ ନେଇଛନ୍ତି। ଏ ସଂକ୍ରାନ୍ତରେ ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଲଗୋଦାମ ଥାନାରେ ଅଭିଯୋଗ ହେବା ସହ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ବିହାର ଓ ଦିଲ୍ଲୀରେ ଉକ୍ତ ଚେକ୍‍ ଲଗାଯାଇ ଟଙ୍କା ଉଠାଯାଇଥିବା ଜଣାପଡିଛି। ମାଲଗୋଦାମ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଏସ୍‍ବିଆଇ ଶାଖାରେ ଉକ୍ତ ଆକାଉଣ୍ଟ ରହିଛି।

ଦିଲ୍ଲୀ ଓ ବିହାରସ୍ଥିତ ଏକ ବ୍ୟାଙ୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ଥିବା ୬ଟି ଜାଲ ଚେକ୍‍ ଲଗାଯାଇଥିଲା। ତନ୍ମଧ୍ୟରୁ ୨ଟି ଚେକ୍‍ କ୍ଲିୟର ହେବା ପରେ ଦୁର୍ବୃତ୍ତମାନେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଏ ସଂକ୍ରାନ୍ତରେ ଜଣାପଡିବାପରେ ତୁରନ୍ତ ଉକ୍ତ ଚେକ୍‍ ଗୁଡିକୁ ଅଟକାଯିବା ସହ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଏହି ଠକେଇ ପଛରେ ବାହାର ରାଜ୍ୟର ଠକଙ୍କ ହାତ ରହିଥିବା ପୁଲିସ ଅନୁମାନ କରୁଛି। ଏ ସଂକ୍ରାନ୍ତରେ କୁଳପତି ପ୍ରଫେସର ଈଶାନ୍‍ ପାତ୍ର କହନ୍ତି, ଘଟଣା ଜାଣିବା ପରେ ତୁରନ୍ତ ଆମେ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଛୁ। ମାଲାଗୋଦାମ ଥାନାରେ ଠକେଇ ସଂକ୍ରାନ୍ତରେ ଅଭିଯୋଗ କରାଯାଇଥିବା ସେ କହିଛନ୍ତି।

Comments are closed.