ଅନୁଭୂତିରେ ଜଗନ୍ନାଥ

- ଶୀଳଭଦ୍ର ଶାସ୍ତ୍ରୀ, ଆଇନଜୀବୀ

ଦୁଇ ବର୍ଷ ତଳେ ଯେତେବେଳେ ପଶ୍ଚିମବଙ୍ଗ ଏବଂ ଓଡିଶା ଭିତରେ ରସଗୋଲା ଭୌଗଳିକ ସୁଚନା (Geographical Indication Tag) ପାଇଁ ବିବାଦ ଚାଲିଥୂଲା, ମୋ ମନରେ ଉତ୍କଣ୍ଠା ହେଲା ଯେ ରସଗୋଲା ଭୋଗ ଲାଗିବା ତ ଆମ ଶ୍ରୀମନ୍ଦିରରେ କାହିଁ କେଉଁ କାଳରୁ ପରମ୍ପରା ରହିଛି, ପଶ୍ଚିମବଙ୍ଗର ରସଗୋଲା କେମିତି ହେଲା। ମନେ ମନେ ଭାବିଲି ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ରସଗୋଲା ମୋକଦ୍ଦମାରେ ମୁଁ କେମିତି ଓକିଲ ହୁଅନ୍ତି ? ଏ ଭିତରେ ହଠାତ୍ ସାହିତ୍ୟିକ ରତ୍ନାକର ରାଉତ, ଯିଏ ସେତେବେଳେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ନିର୍ଦ୍ଦେଶକ ଥିଲେ ମୋତେ ଫୋନ୍ କରି ତାଙ୍କ କାର୍ଯ୍ୟାଳୟକୁ ଡାକି ପଚାରିଲେ, ଆପଣ ଆମ ତରଫରୁ ରସଗୋଲା ମୋକଦ୍ଦମାରେ ଓକିଲ ହେବେ କି? କିନ୍ତୁ ଆମର ଫିସ୍ ବହୁତ କମ୍, ଆପଣ ଏଥିରେ ରାଜି କି? ମୋର ଉତ୍ତର ଥିଲା ସାର୍ ମୁଁ ତ ଖୋଜୁଥିଲି, ଏଇଟା ଵୋଧେ ସେହି କାଳିଆ ସାଆନ୍ତଙ୍କ ଆଶୀର୍ବାଦ ଓ ନିର୍ଦ୍ଦେଶ।

ତା ପରେ ସୌଭାଗ୍ୟ ବଶତଃ ରସଗୋଲା ପରିବାର ରେ ମୁଁ ବି ଯୋଡ଼ି ହୋଇ ଗଲି, ସାଙ୍ଗରେ ରହିଲେ ଜଗନ୍ନାଥଙ୍କୁ ଭଲ ପାଉଥିବା କ୍ଷୁଦ୍ର ଶିଳ୍ପ ନିଗମର କର୍ମଚାରୀମାନେ, ବିଶେଷତଃ ରତ୍ନାକର ରାଉତ IAS, ନିରୁପମା ସ୍ଵାଇଁ OAS, କମଳ ଦାସ ଏବଂ ସାନ ଭାଈ ତଥା ଓକିଲ ସିଦ୍ଧାର୍ଥ ଦାଶ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲେ ଆମ ନଥିପତ୍ର ଓ ଆଇନର ତର୍ଜମା। ଯେଉଁ ଦିନ ହାଇକୋର୍ଟରେ ଦାଖଲ ପାଇଁ ଜବାବ ପ୍ରସ୍ତୁତି କରିବାକୁ ମୋତେ ନଥିପତ୍ର ଦିଆଗଲା, ମୁଁ ଓ ମୋର ଵନ୍ଧୁ ଜଗନ୍ନାଥ ପ୍ରେମୀ ଵିବେକାନନ୍ଦ ଉଦଗାତା (ଓକିଲ) ଦୁହେଁ ଶହ ଶହ ବର୍ଷର ପରମ୍ପରାଗତ କାଗଜପତ୍ର ଦେଖି ଅବାକ ହୋଇଗଲୁ, ସବୁ ଥିଲା ଆମ ସପକ୍ଷରେ କିନ୍ତୁ ହୁଏତ ଏତେ ପୁରୁଣା ନଥି ଯୋଗାଡ଼ କରିବାରେ ସମୟ ଲାଗିଲା ଯାହାର ମଧ୍ୟବର୍ତ୍ତିକାଳୀନ ଫାଇଦା ପଶ୍ଚିମବଙ୍ଗ ନେଇଥିଲା। କିନ୍ତୁ ଶେଷରେ ଓଡିଶା ରସଗୋଲା ଆମର ବୋଲି ପ୍ରମାଣିତ ହେଲା।

ଦ୍ଵିତୀୟ ଅନୁଭୁତି – ଜୁନ୍୧୮ ତାରିଖ ୨୦୨୦ ଦିନ ପ୍ରାୟ ୨.୩୦ ହେବ ମୁଁ ଖାଇ ସାରି ବିଶ୍ରାମ ନେଉ ଥାଏ। ମୋ ପୁଅ ଆସି କହିଲା ବ୍ରେକିଙ୍ଗ ନିଉଜ୍ ଦେଉଛି। ସୁପ୍ରିମକୋର୍ଟ କହିଲେ ରଥ ଯାତ୍ରା ହେବନାହିଁ। ଲାଗିଲା ସତେ ଯେମିତି କଣ ଗୋଟେ ବଡ଼ କ୍ଷତି ହୋଇଗଲା। ମୁଁ ଭାବିଲି ପ୍ରଭୁ ସତରେ କଣ ଏହା ତୁମ ଇଚ୍ଛା। କିଛି ସମୟ ପରେ ‘ଜି ଓଡିଶା’ ଟିଭି ରୁ ସମ୍ପାଦକ ସରତ ପାଇକରାୟଙ୍କ ଫୋନ୍ ଆସିଲା ଯେ ରଥଯାତ୍ରା ଉପରେ ଚର୍ଚ୍ଚା ଅଛି ଆପଣ ଆସନ୍ତୁ। ଘରୁ ଵାହାରିଲା ବେଳେ ମୋ ମା’ କହିଲେ ଆରେ ଯୋଉ ଟିଭିକୁ ଯାଉଛୁ ଟିକିଏ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ କହିବୁ। ଯାହା ମୋ ମନ ଭିତରେ ଜଗନ୍ନାଥଙ୍କ ବ୍ୟତୀତ ଆଉ କିଛି ଆସିଲା ନାହିଁ।

ଷ୍ଟୁଡିଓକୁ ଗଲାଵେଳେ ରାସ୍ତାରେ ଭାବୁଥାଏ ସତରେ କଣ ରଥଯାତ୍ରା ହେବ। ସେତେବେଳେ ଜଣେ ଜଗନ୍ନାଥ ପ୍ରେମୀ ବରିଷ୍ଠ ପୁଲିସ ଅଧିକାରୀ ମତେ ମୋକଦ୍ଦମାର ଆଦେଶ ଉପରେ ଅବଗତ କଲେ ଓ ଆଉ ଜଣେ ଜଗନ୍ନାଥ ପ୍ରେମୀ ଆର୍ଯ୍ୟସମାଜର ପୁରୋଧା ଓ ବଡ ଭାଇ ମତେ କିଛି ଦିଗ୍ ଦର୍ଶନ ଦେଲେ। ଟିଭିରେ ଚର୍ଚ୍ଚା ଚାଲିଥିବା ବେଳେ ମୋ ପାଟିରୁ ବାହାରି ଗଲା ଯଦି ଅପରାଧୀଙ୍କ ପାଇଁ ରାତି ଅଧରେ ସୁପ୍ରିମକୋର୍ଟ ଖୋଲାଯାଇଛି ତେବେ ମହାପ୍ରଭୁଙ୍କ ପାଇଁ କାହିଁକି ନୁହେଁ। ମିସ୍ ପିଟିସନ ଫାଇଲ ହୋଇ ପାରିବ।

ସେଇଦିନ ସଞ ଵେଳେ ପୁଣି ‘ସମାଜ ଟିଭି’ରୁ କୌତୁକ ମିତ୍ରଙ୍କ ଫୋନ ଆସିଲା, ରଥ ଯାତ୍ରା ଉପରେ ଚର୍ଚ୍ଚା କରିବାକୁ। ସେଠି ବି ପ୍ରାୟ ସମାନ କଥା ଉପସ୍ଥାପନ ହେଲା। ହଠାତ ଜୁନ ୨୦ ତାରିଖରେ ସକାଳୁ ମୁଁ ଫୋନ୍ ଖୋଲିବା ପରେ ଦେଖିଲି ସାନ ଭାଈ ଶ୍ରଦ୍ଧେୟ ଵିଭୁତି ଭୂଷଣ ଚଉଧୁରୀ (ଓକିଲ) ଏକ ପିଟିସନ ପଠାଇଛନ୍ତି। ତାପରେ ତାଙ୍କୁ ଫୋନ୍ କଲାରୁ ସେ କହିଲେ ଭାଈନା ପିଟିସନ ତିଆରି ହୋଇ ଯାଇଛି ଆପଣ କିଛି ଆଗ୍ରହୀ ପିଟିସନର ଦେଖନ୍ତୁ ନହେଲେ ନିଜେ ହୁଅନ୍ତୁ। ଆମେ ଓକିଲମାନେ ପ୍ରଭୁ ଜଗନ୍ନାଥଙ୍କ ରଥ ପାଇଁ ଚେଷ୍ଟା ତ କରିବା।

ପୁଣି କିଛି ସମୟ ପରେ ବିଭୁତି ବାବୁ ଫୋନରେ କହିଲେ ଯେ ପୁରୀ ଓ ଅନ୍ୟାନ୍ୟ ଜାଗାରୁ ଅନେକ ପିଟିସନର ବାହାରିଲେଣି, ଜଣେ ମୁସଲମାନ ପିଲା ବି ପିଟିସନର ଅଛି ଏବଂ ଆମର ଅନେକ ଓଡ଼ିଆ ଓକିଲ ଦିଲ୍କୀରେ ପ୍ରସ୍ତୁତି ଆରମ୍ଭ କଲେଣି। ତା ପରେ ସବୁକିଛି ସେହି ଲୀଳାମୟଙ୍କ ଇଛାରେ ଚାଲିଲା। ସମୟ କ୍ରମେ ଦୁଇଜଣ ଆଇନଜୀବୀ ଲିଙ୍ଗରାଜ ଦାଶ ଓ ସଞୀବ ପୂଜାପଣ୍ଡା ବି ମୋ ଚାମ୍ବରକୁ ଆସି ପିଟିସନର ହୋଇଗଲେ। ସଂଯୋଗ ବଶତଃ ଏହି ଐତିହାସିକ ମୋକଦ୍ଦମାରେ ମୋର ନାମ ମଧ୍ୟ ଭାରତର ବିଶିଷ୍ଠ ଓକିଲଙ୍କ ସାଙ୍ଗରେ ଲିପିବଦ୍ଧ ହୋଇ ମୋର ୨୭ ବର୍ଷ ଓକିଲାତି ଜୀବନର ସାର୍ଥକତା ଦେଲା।

ଏ ସବୁ ଯେମିତି ଚମତ୍କାର ଭଳି ଘଟି ଚାଲିଥାଏ, ତା ପରେ ଖବର ଆସିଲା ଦିଲ୍ଲୀରେ ଆମ ଓଡିଆ ଓକିଲଙ୍କ ସହ କିଛି ବରିଷ୍ଠ ନାମି ଓକିଲମାନେ ମଧ୍ୟ ଆମ ତରଫରୁ ଶୁଣାଣି କରିଵେ, କିନ୍ତୁ ଖରା ଛୁଟି ଯୋଗୁଁ ତିନି ଜଣିଆ ଜଜଙ୍କ ପାଖରେ ଜୁନ ୨୨ ତାରିଖ ସୋମବାର ଦିନ ଶୁଣାଣି କେମିତି ହେବ? ହେଲେ ସମସ୍ତଙ୍କୁ ଚମକାଇ ସେହି ମାନ୍ୟବର ୩ ଜଜ୍ ପୁଣି ଶୁଣିଲେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହିଲେ ଆମେ ପ୍ରସ୍ତୁତ ଏବଂ ଆଶ୍ଚର୍ୟ୍ୟ ଭାବେ ପ୍ରାୟ ୧୫ ଘଣ୍ଟାରୁ ବି କମ୍ ସମୟରେ ସବୁ ପ୍ରସ୍ତୁତ ହୋଇଗଲା, ଵିନା ଭକ୍ତରେ ରଥ ଗଡ଼ିଲା, ଥିଲେ ପ୍ରଥମ ସେବାୟତ ଶ୍ରୀ ଶ୍ରୀ ଗଜପତି ମହାରାଜା, ପ୍ରଶାସନ ଓ ପୁଲିସ ବୃନ୍ଦ, କିନ୍ତୁ ସେବାୟତମାନଙ୍କ ଭକ୍ତି, ନିଷ୍ପତ୍ତି, ନିଷ୍ଠା ଓ ଶୃଙ୍ଖଳା ଏଥର ଅନନ୍ୟ ଥିଲା, ପୁରୀ ଵାସି ନିଜ ଘରେ ରହିଲେ, ତଥାପି କୈଣସି ଵିଶୃଙ୍ଖଳା ନାହିଁ, ଏହାହିଁ ମହାପ୍ରଭୁଙ୍କ ମହିମା ଓ ମୋର ଅନୁଭୁତି, ଜୟ ଜଗନ୍ନାଥ।

Comments are closed.