ରଥଖଳା ଖବର : ଲାଗିଲା ଧ୍ବଜବତା

ପୁରୀ : ରଥନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ନିର୍ମାଣାଧୀନ ତିନିରଥରେ ଧ୍ବଜବତା ଲଗାଯାଇଛି। ଦୁଆଘଡାକୁ ବାନ୍ଧି ରଖିବାପାଇଁ ଧ୍ବଜବତାରେ ତାଗ ଲଗାଯାଇଛି। ପ୍ରତି ରଥରେ ଚାରୋଟି ଲେଖାଏ ଧ୍ବଜବତା ଲଗାଯାଇଛି। ରଥରେ ପଟାପକା କାର୍ଯ୍ୟ ଶେଷ​‌ ହୋଇଛି। ଶ୍ରୀଜୀଉଙ୍କ ପାଇଁ ବିଜେସ୍ଥଳ ସିଂହାସନ ନିର୍ମାଣ କରାଯାଇଛି। ଚିତ୍ରକାର ସେବକ ସେଥିରେ ଚିତ୍ର ଅଙ୍କନ କରୁଛନ୍ତି। ରଥରେ କନକମୁଣ୍ଡି ଲଗାଯିବା ସହ ସେଥିରେ ଚଦର ପକାଯାଇଛି। ପ୍ରଥମଭୂଇଁ, ଦ୍ବିତୀୟଭୂଇଁ ଏବଂ ତୃତୀୟଭୂଇଁର ପ୍ରତି କୋଣରେ ତିନୋଟି ଲେଖାଏ କଣିଫାଉଡା ଲଗାଯାଇଛି। ତିନିରଥର ପ୍ରଭାରେ ରୂପକାର ସେବକ ଖୋଦେଇ କାର୍ଯ୍ୟ କରୁଛନ୍ତି। ତଳେ ମଗରମୁଖ, ଦୁଇପାର୍ଶ୍ବରେ ପଦ୍ମଫୁଲ ଡାଳି ଏବଂ ଉପରପାର୍ଶ୍ବରେ ରାହୁମୁଖ ଖୋଦେଇ କରାଯାଉଛି। ରଥରେ ସଂଯୋଗ ପାଇଁ ଦୁଇଟି ଲେଖାଏ ଧୂଳିଦଣ୍ଡା ପ୍ରସ୍ତୁତ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଦରଜି ସେବକ ରଥକନା ସିଲାଇ କରୁଛନ୍ତି। ଚିତ୍ରକାର ସେବକଙ୍କ ଦ୍ବାରା ପାର୍ଶ୍ବ ଦେବଦେବୀ, ସାରଥୀ, ରଥଅଶ୍ବ, ସଖୀ ଏବଂ ହଂସପଟା ରଙ୍ଗ କରାଯାଉଛି।

Comments are closed.