ରଥଖଳା ଖବର : ରଥରେ ଲାଗିଲା ଦୁଆରଘଡ଼ା

ପୁରୀ : ନିର୍ମାଣାଧୀନ ରଥରେ ଶନିବାର ଲାଗିଛି ଦୁଆରଘଡା। ଆଗଆଣି ଓ ପଛଆଣି ଦୁଆରଘଡା ଲଗାଯାଇଛି। ଆଉ ଦୁଇଟି​‌ ଲେଖାଏଁ ଦୁଆରଘଡା ରବିବାର ଲଗାଯିବ। ଏହାଛଡା ତିନିରଥରେ ୮ଗୋଟି ଲେଖାଏଁ ଋଷିପଟା ଲଗାଯାଇଛି। ତୃତୀୟଭୂଇଁ ଉପରେ ଏବଂ ପୋଟଳ ତଳଭାଗରେ ତାହାକୁ ସଂଯୋଗ କରାଯାଇଛି। ତିନିରଥରେ ପଟାବାଡିଆ କାମ ଚାଲିଛି। ବେଦୀପାଇଁ ଜଗତପୃଷ୍ଟ ଶେଣୀ ଲଗାଯାଇଛି। ସିଂହାସନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥଚାଳିରେ ପ୍ରଭା ଏବଂ ବିଜେଆସନ ଚକା ଲଗାଯିବ। ଏହିକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକମାନେ ପ୍ରଭାରେ ରାହୁରୂପ ଓ ମଗର ଖୋଦେଇ କାମ କରୁଛନ୍ତି। ଚିତ୍ରକାର ସେବକମାନେ ସାରଥୀ ଏବଂ ପାର୍ଶ୍ବ ଦେବଦେବୀଙ୍କୁ ରଙ୍ଗ କରୁଛନ୍ତି। ତିନିରଥ କଳସରେ କୁମ୍ଭଚିତ୍ର କରାଯାଇଛି। ସିଂହାସନ ଖୋଦେଇ ଶେଷହେବା ପରେ ରଙ୍ଗପାଇଁ ଚିତ୍ରକରଙ୍କୁ ଦିଆଯାଇଛି। ରଥଗୁଡିକର ବିଭିନ୍ନ ଅଂଶ ରଙ୍ଗ କରାଯାଉଛି। ଦରଜି ସେବକମାନେ ରଥକନା ସିଲାଇ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ୬ପ୍ରକାର ଲୁହାକ୍ଲାମ୍ପ ପ୍ରସ୍ତୁତ କରାଯାଉଛି। ଶନିବାର ପୁଣିଥରେ ରଥ ନିର୍ମାଣ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି।

Comments are closed.