ସୁରକ୍ଷା ବଳୟରେ ରଥଖଳା, ନେଗେଟିଭ୍‍ ରିପୋର୍ଟ ଥିବା ସେବାୟତ କାର୍ଯ୍ୟରେ ନିୟୋଜିତ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାମ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ରଥଖଳାକୁ କୋଭିଡ଼୍‍ ସଂକ୍ରମଣରୁ ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ରଥଖଳା ଚର୍ତୁପାର୍ଶ୍ବରେ ବ୍ୟାରିକେଟ୍‍ ନିର୍ମାଣ କରାଯାଇଛି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡାଯାଉନାହିଁ। ଗତ କିଛି ଦିନ ମଧ୍ୟରେ ରଥ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କିଛି ସେବାୟତ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରଥଖଳାରୁ ମୋଟ ୧୮ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରଥ ଖଳା ସୁରକ୍ଷା ସମ୍ପର୍କରେ ଏସପି ଡଃ. କେ.ଭି. ସିଂହ ସମୀକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ରଥଖଳାରେ ୭୯ ଜଣ ସେବାୟତ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ମହାରଣା, ୩୦ ଜଣ ଭୋଇ ସେବାୟତ, ୧୨ ଜଣ କମାର, ୪ ଜଣ କରତିଆ ଓ ୩ ଜଣ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେବାୟତ ମାନଙ୍କର ଆରଟି-ପିସିଆର ଟେଷ୍ଟିଂ କରାଯାଉଛି। ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‍ ଆସୁଛି, ସେମାନଙ୍କୁ ରଥ ଖଳାରେ ନିୟୋଜିତ କରାଯାଉଛି। ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ୍‍ ଆସୁଛି, ସେମାନଙ୍କୁ କୋଭିଡ଼୍‍ ଯତ୍ନ କେନ୍ଦ୍ରରେ ରଖାଯାଇ ଆବଶ୍ୟକ ଚିକିତ୍ସା କରାଯାଉଛି। କୌଣସି ସଂକ୍ରମିତ ସେବାୟତ ରଥ ଖଳାରେ କାମ କରୁ ନାହାଁନ୍ତି। ରଥ ଖଳା ସଂକ୍ରମିତ ହୋଇନାହିଁ। ଅଧିକାଂଶ ସେବାୟତଙ୍କୁ କରୋନା ଟୀକା ଦିଆଯାଇଛି। ରଥ ଖଳାରେ କରୋନା ଗାଇଡ଼୍‍ ଲାଇନ୍‍ ଅନୁଯାୟୀ ସମସ୍ତ କାର୍ଯ୍ୟ ଚାଲୁ ରହିଛି। ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ଏମ-୯୦ ମାସ୍କ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.