ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ: ନିର୍ମାଣାଧୀନ ତିନିରଥରେ ମଙ୍ଗଳବାର ଲଗାଯାଇଛି ଦୁଆରବେଢ଼ା। ପ୍ରତି ରଥରେ ଦୁଇଟି ଲେଖାଏଁ ଦୁଆରବେଢ଼ା ସଂଯୋଗ କରାଯାଇଛି। ଆଉ ୬ଟି ଦୁଆରବେଢ଼ା ନିର୍ମାଣ ଶେଷ ହୋଇଛି। ରଥ ବେଦୀରେ ତାଗ ଓ ପଟାବାଡ଼ିଆ ସରିଛି। କୋଣଗୁଜ ଓ ପଟାଗୁଜରେ ରୂପକାର ସେବକମାନେ ରାହୁରୂପ, ସିଂହବିରାଳ ଓ ନରବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି। ଢମକ ଉପରେ ୫ଟି ଜଗତପୃଷ୍ଠ ଶେଣୀ ଲଗାଯାଇଛି। ପ୍ରଭା ନିର୍ମାଣ ଶେଷ ହୋଇଛି।

ନାଟଗୋଡରେ ରୂପଚିତ୍ର ଅଙ୍କନ କରାଯାଉଛି। ପାର୍ଶ୍ବ ​ଦେବଦେବୀଙ୍କୁ ଚିତ୍ରକାର ସେବକ ରଙ୍ଗ କରୁଛନ୍ତି। ଦରଜିଙ୍କ ଦ୍ବାରା ରଥକନା ସିଲାଇ କରାଯାଉଛି। ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବେଢ଼ାକଣ୍ଟା, ସିଂହାସନ କଣ୍ଟା, ଧୂଳିଦଣ୍ଡା କଣ୍ଟା ପ୍ରସ୍ତୁତ କରୁଛନ୍ତି। ତିନିରଥର କଳସ ଏବଂ କନକମୁଣ୍ଡି ନିର୍ମାଣ ଶେଷ ହୋଇଛି। ବର୍ଷା ସମୟରେ ଶ୍ରୀଜୀଉଙ୍କ ଉପରେ ପାଣି ନ ପଡ଼ିବା ପାଇଁ କନକମୁଣ୍ଡିରେ ଆଲମ୍ୟୁନିୟମ ଚଦର ପକାଯାଇଛି।

Comments are closed.