୨୧ ବର୍ଷ ହେଲାଣି ଫାଇଲ ଭିତରେ ସ୍ଥାୟୀ ରଥ ନିର୍ମାଣ ସୁପାରିସ, ପରମ୍ପରା ନାଁରେ ବଳିପଡୁଛି ଶହ ଶହ ଗଛ

ପୁରୀ: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସ୍ଥାୟୀ ରଥ ନିର୍ମାଣ କରାଯିବାକୁ ସୁପାରିସ କରିଥିଲା ପ୍ରାକ୍ତନ ରାଜ୍ୟପାଳ ବି.ଡି ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତିମଣ୍ଡପ ପଣ୍ଡିତସଭା ସହ ଆଲୋଚନା କରି ଏହି ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ସ୍ଥାୟୀ ରଥ ନିର୍ମାଣରେ କୌଣସି ଧାର୍ମିକ ପ୍ରତିବନ୍ଧକ ନଥିବା ମତ ଦେଇଥିଲେ କମିଟି ଅଧ୍ୟକ୍ଷ ଶ୍ରୀ ଶର୍ମା। କିନ୍ତୁ ପ୍ରାୟ ୨୧ବର୍ଷ ଧରି ଏହି ରିପୋର୍ଟକୁ ଚପାଇ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ଏପର୍ଯ୍ୟନ୍ତ ଉପସ୍ଥାପନ କରାଯାଇ ନାହିଁ। ପରମ୍ପରା ରକ୍ଷା ନାମରେ ପ୍ରତ୍ୟେକ ବର୍ଷ ନୂଆରଥ ନିର୍ମାଣ ପାଇଁ କଟାଯାଉଛି ଶହ ଶହ ଜୀବନ୍ତ ଗଛ। ଶ୍ରୀଜୀଉଙ୍କ ରଥଯାତ୍ରା ପରେ ରଥ ଗୁଡିକୁ ଭଙ୍ଗାଯାଇ ଜାଳେଣି ଭାବେ ତାହାକୁ ବ୍ୟବହାର କରାଯାଉଛି।

ପ୍ରତ୍ୟେକ ବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ରଥ ନିର୍ମାଣ କରାଯାଉଛି। ତାହା ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ଭାବେ ପରିଚିତ। ଏଥିପାଇଁ ପ୍ରତ୍ୟେକ ବର୍ଷ ନୟାଗଡ ଏବଂ ବୌଦ୍ଧ ବନଖଣ୍ଡ ପକ୍ଷରୁ ୮୬୫ ଖଣ୍ଡ ଅସନ, ଧଉରା ଏବଂ ଫାସିକାଠ ଯୋଗା ଯାଉଛି। ଏହାଛଡା ଖୋର୍ଦ୍ଧା ବନଖଣ୍ଡରୁ କିଛି ସିମିଳି ଏବଂ ଗମ୍ଭାରୀ କାଠ ଯୋଗା ଯାଉଥିବା ଜଣାପଡିଛି। ତୁମ୍ବ ନିର୍ମାଣ ପାଇଁ ୭ରୁ ୮ଫୁଟ ଗୋଲେଇ କାଠ ଆବଶ୍ୟକ ହେଉଛି। ରାଜ୍ୟ ଜଙ୍ଗଲ ବିଭାଗ ପ୍ରତିବର୍ଷ ରଥ ନିର୍ମାଣ ପାଇଁ ମାଗଣାରେ ଆବଶ୍ୟକ ପରିମାଣର କାଠ ଯୋଗାଇ ଆସୁଛି। ଶାସ୍ତ୍ରୀୟ ମତ ଅନୁଯାୟୀ ଶ୍ରୀପଞ୍ଚମୀ ତିଥିରେ ରଥକାଠ ପୂଜା ଏବଂ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ହୋଇଥାଏ।

ଦଶପଲା ରାଜା ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ପୂର୍ବରୁ ମାଗଣାରେ କାଠ ଯୋଗାଉଥିଲେ। ୧୯୪୮ ମସିହାଠାରୁ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ରଥକାଠ ଯୋଗାଇ ଆସୁଛନ୍ତି। ତ୍ରୟୋଦଶ ଶତାବ୍ଦୀରୁ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ଗବେଷକମାନେ ମତ ଦେଉଛନ୍ତି। ପ୍ରତିବର୍ଷ ରଥ ନିର୍ମାଣ ପାଇଁ ୨ଶହରୁ ଊର୍ଦ୍ଧ୍ବ ମହାରଣା, ଭୋଇ, କମାର, କରତି, ରୂପକାର, ଚିତ୍ରକାର ଏବଂ ଦରଜି ସେବକ ୫୯ ଦିନ କାର୍ଯ୍ୟ କରିଥାଆନ୍ତି। ଏଥିପାଇଁ ମଜୁରି ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ଏବେ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ବନ ବିଭାଗ ବ୍ୟତୀତ ନୟାଗଡ ଜିଲାର ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ପ୍ରତିବର୍ଷ ଫାସିକାଠ ଦାନକରି ଆସୁଛନ୍ତି। ତେଣୁ ତିନିରଥ ନିର୍ମାଣ ପାଇଁ ପ୍ରତିବର୍ଷ ପ୍ରାୟ ୧୨ଶହ ଜୀବନ୍ତ ଗଛ କାଟିବାକୁ ପଡୁଛି।

ନୟାଗଡ ଓ ଦଶପଲା ଜଙ୍ଗଲରେ ଆବଶ୍ୟକ ପରିମାଣର ରଥକାଠ ନମିଳିବାରୁ କିଛିବର୍ଷ ହେଲା ବୌଦ୍ଧ ବନଖଣ୍ଡରୁ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ କରାଯାଉଛି। ରଥକାଠ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୧ବର୍ଷ ତଳେ ଜଗନ୍ନାଥ ବନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସ୍ଥିର କରିଥିଲେ। ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଜିଲା ସମେତ ମହାନଦୀ ଅବବାହିକାରେ ୨୩୨୬ ହେକ୍ଟର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ୨୦୦୧-୦୨ରୁ ୨୦୦୫-୦୬ ବର୍ଷ ମଧ୍ୟରେ ଏହିସବୁ ନଦୀବନ୍ଧରେ ଜଙ୍ଗଲ ବିଭାଗ ପକ୍ଷରୁ ଫାସି, ଅସନ, ଧଉରା, ଅର୍ଜୁନ, ଗମ୍ଭାରୀ, କଦମ୍ବ, ଶିମିଳି, ମହାନିମ୍ବ ଚାରା ରୋପଣ କରାଯାଇଥିଲା। ସେଥିରୁ ୬୫% ଗଛ ବଞ୍ଚିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରଥ ନିର୍ମାଣ ପାଇଁ ବ୍ୟବହାର ଉପଯୋଗୀ ହେବାକୁ ଏହିସବୁ ଗଛକୁ ୩୫ରୁ ୪୦ବର୍ଷ ଲାଗିବ। ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଆଉକିଛି ବନଖଣ୍ଡରେ ଫାସି, ଅସନ ଏବଂ ଧଉରା ଚାରା ଲଗାଯିବା ପ୍ରସ୍ତାବ ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

ପ୍ରାକ୍ତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରଥ ନିର୍ମାଣ ସମ୍ପର୍କରେ ୨୧ବର୍ଷ ତଳେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ପୁରୀ ରଥଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ନୂଆରଥ ନିର୍ମାଣ ପରିବର୍ତ୍ତେ ସ୍ଥାୟୀ ରଥ ନିର୍ମାଣ ପାଇଁ ସେ ସୁପାରିସ କରିଥିଲେ। ମୃଣାଳିନୀ ପାଢୀଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ୨୦୧୯ ନଭେମ୍ବର ୪ତାରିଖର ମଧ୍ୟବର୍ତ୍ତୀକାଳୀନ ନିର୍ଦେଶରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ପ୍ରତ୍ୟେକବର୍ଷ ରଥ ନିର୍ମାଣ ନିମନ୍ତେ କାଠ ଅଭାବ ଦେଖା ଦେଇଥିବାରୁ ଏବଂ ପରମ୍ପରା ରକ୍ଷାପାଇଁ ପ୍ରତିବର୍ଷ ଶହ ଶହ ଜୀବନ୍ତ ଗଛ ବଳି ପଡୁଥିବାରୁ ଏହି ସୁପାରିସ କାର୍ଯ୍ୟକାରୀ ସପକ୍ଷରେ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

Comments are closed.