ରାଜଧାନୀରେ ଦୁର୍ଘଟଣା ୬୬ ପ୍ରତିଶତ ହ୍ରାସ; ପ୍ରଥମ ତ୍ରୈମାସରେ ୧୮୯, ଦ୍ବିତୀୟରେ ୬୪

ଭୁବନେଶ୍ବର : ରାଜଧାନୀରେ ଗତ ୩ ମାସରେ ଦୁର୍ଘଟଣା ଆଶାତୀତ ଭାବେ ହ୍ରାସ ପାଇଛି। କୋଭିଡ୍‌-୧୯ କଟକଣା ଯୋଗୁଁ ପ୍ରାୟତଃ ୩ ମାସ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ କରାଯାଇଥିବାରୁ ଦୁର୍ଘଟଣା ହ୍ରାସ ପାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ତ୍ରୈମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲାର ୨୦ଟି ଥାନାରେ ୧୮୯ଟି ଦୁର୍ଘଟଣା ସମ୍ପର୍କିତ ମାମଲା ରୁଜୁ ହୋଇଛି। ସେହିପରି ଦ୍ବିତୀୟ ତ୍ରୈମାସ ଏପ୍ରିଲ୍‌ରୁ ଜୁନ୍ ସୁଦ୍ଧା ମାତ୍ର ୬୪ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ଜୁନ୍‌-୧ରୁ ରାଜ୍ୟରେ ଅନ୍‌ଲକ୍‌-୧ ଆରମ୍ଭ ହୋଇଥିଲା। ଏଥିରେ ସାଧାରଣ ଲୋକଙ୍କ ଗମନାଗମନ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲା। ତେଣୁ ଦ୍ବିତୀୟ ତ୍ରୈମାସରେ ଦୁର୍ଘଟଣା ହାର ୬୬ ପ୍ରତିଶତ ହ୍ରାସ ପାଇଥିବା ଆକଳନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ତଥା ଡିଆଇଜି ଅନୁପ କୁମାର ସାହୁ।
ସେହିପରି ପ୍ରଥମ ତ୍ରୈମାସରେ ଦୁର୍ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ତ୍ରୈମାସରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ୬୬ ପ୍ରତିଶତକୁ ହ୍ରାସ ପାଇଛି। ଏପ୍ରିଲ୍‌ ମାସରେ ଭୁବନେଶ୍ବର ସହରାଞ୍ଚଳରେ ୧୦ଟି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେ ମାସରେ ୨୬ଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜୁନ୍‌ ମାସରେ ୨୮ ଟି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦ୍ବୖତୀୟ ତ୍ରୈମାସରେ ୬୪ଟି ଦୁର୍ଘଟଣାରେ ୩୫ଟି ଘଟଣାରେ ଆହତଙ୍କୁ ଗଭୀର ଆଘାତ ଲାଗିଛି। ଆକଳନ ଅନୁସାରେ ଏହି ସମୟରେ ରାଜଧାନୀରେ ଘଟୁଥିବା ଦୁର୍ଘଟଣାରେ ୨୬ ପ୍ରତିଶତ ଘଟଣାରେ ଆହତଙ୍କର ମୃତ୍ୟୁ ଘଟୁଥିବା ବେଳେ ୫୪ ପ୍ରତିଶତ ଆହତ ଗଭୀର ଆଘାତ ପାଇଛନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଦୁର୍ଘଟଣା ହ୍ରାସ ପାଇଥିଲା। ଯେଉଁ ହାରରେ କଟକଣା କୋହଳ ହେବାରେ ଲାଗିଛି ଦୁର୍ଘଟଣା ପରିମାଣ ପ୍ରତି ମାସରେ ବୃଦ୍ଧି ପାଇବା ସହିତ ଆହତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି।

Comments are closed.