ରାଜଧାନୀରେ ଲାବ୍ରାଡର୍‌ର ସଫଳ ଅସ୍ତ୍ରୋପଚାର- ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମରୁ ଅଧିକ ଓଜନର ଷ୍ଟୋନ୍‌

ଭୁବନେଶ୍ୱର,: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ।

ସାଢ଼େ ଚାରିବର୍ଷର ଏହି କୁକୁରଟିକୁ ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା । ଏକ୍ସରେ କରାଯିବା ପରେ ପଶୁଟିର ମୂତ୍ରାଶୟ ଏବଂ ପରିସ୍ରାନଳୀରେ ଅନେକ ପଥର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା । ଅନେକ ଭେଟେରିନାରୀ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତା’ର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରି ନଥିଲା ।

ସୋଆ ଅର୍ବାନ ହସ୍ପିଟାଲ୍‌ର ଅନୁଭୂତି ସମ୍ପନ୍ନ ସର୍ଜନମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ମାଧ୍ୟମରେ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରିଥିଲେ । ସୋମବାର ଦିନ ୩ ଜଣ ସର୍ଜନ୍ କୁକୁରଟିକୁ ଜେନେରାଲ୍ ଆନେସ୍‌ଥେସିଆ ଦେଇ ଅଚେତ୍ କରାଇବା ପରେ ଅସ୍ତ୍ରୋପଚାର କରିଥିଲେ । ମୂତ୍ରାଶୟକୁ କଟାଯାଇ ପ୍ରାୟ ୫୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ଏବଂ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରାଯାଇଥିଲା । ସେହିପରି ତା’ର ପରିସ୍ରାନଳୀରୁ ମଧ୍ୟ ଅନେକଗୁଡ଼ିଏ ପଥର ବାହାର କରାଯାଇଥିଲା । ସବୁ ପଥରଗୁଡ଼ିକୁ ରସାୟନିକ ପରୀକ୍ଷା ପାଇଁ ରଖାଯାଇଛି । ସର୍ଜରୀ ପରେ କୁକୁରଟି ସୁସ୍ଥ ଅଛି ।

Comments are closed.