ନ୍ୟାୟ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କ ଆତ୍ମାହୁତି ଉଦ୍ୟମ

ମୀରଟ: ଦେଶବ୍ୟାପୀ ବଳାତ୍କାରୀଙ୍କ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଉତ୍ତରପ୍ରଦେଶରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୀଡ଼ିତା ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି। ଏସପି ଅଫିସ ସମ୍ମୁଖରେ ପୀଡ଼ିତା ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଛି। ଶୁକ୍ରବାର ରାଜ୍ୟର ମୀରଟ ସହରରେ ଏହି ଘଟଣା ଘଟିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ୩ମାସ ତଳେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ୩ମାସ ହେବ ସେ ଥାନାକୁ ଦୌଡୁଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି। ପୁଲିସର ଏପରି ବ୍ୟବହାରରେ ହତୋତ୍ସାହିତ ହୋଇ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିବା କହିଛନ୍ତି। ଶୁକ୍ରବାର ପ୍ରଥମେ ସେ ନ୍ୟାୟ ପାଇଁ ଏସପିଙ୍କ ଅଫିସକୁ ଆସିଥିଲେ। କିନ୍ତୁ ଏସପିଙ୍କୁ ଭେଟି ନ ପାରିବାରୁ ସେ କାର୍ଯ୍ୟାଳୟ ବାହାରେ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। କିଛି ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।

Comments are closed.