ରାଜ୍ୟରେ ବଢ଼ୁଛି ଦୁଷ୍କର୍ମ; ପ୍ରତି ୪ ଘଣ୍ଟାରେ ଗୋଟିଏ

ପୂର୍ବ ବର୍ଷ ଅପେକ୍ଷା ବଢ଼ିଛି ଠକେଇ-ରାହାଜନୀ

କମିଛି ସଡ଼କ ଦୁର୍ଘଟଣା, ହତ୍ୟା ଓ ଡ଼କାୟତି

ଭୁବନେଶ୍ବର : ରାଜ୍ୟରେ ହାରାହାରି ପ୍ରତି ୪ ଘଣ୍ଟାରେ ପଞ୍ଜିକୃତ ହେଉଛି ଗୋଟିଏ ଦୁଷ୍କର୍ମ ମାମଲା । କରୋନା ସଂକ୍ରମଣ, ଲକଡ଼ାଉନ-ସଟଡ଼ାଉନ, ପୁଲିସର କଡ଼ା ଆଇନ, ଅପରାଧ ରୋକିବାକୁ ସରକାରଙ୍କ କଠୋର ଆଭିମୁଖ୍ୟ ଏହି ଅପରାଧକୁ ରୋକି ପାରିନାହିଁ । କେବଳ ସେତିକି ନୁହେଁ, ଗତବର୍ଷ ଅପେକ୍ଷା ତୁଳନାତ୍ମକ ଭାବରେ ଚଳିତ ବର୍ଷ ରାଜ୍ୟରେ ଅଧିକ ସଂଖ୍ୟକ ଦୁଷ୍କର୍ମ ପଞ୍ଜିକୃତ ହୋଇଛି । ଏହା କୌଣସି ସାଧାରଣ ଅଭିଯୋଗ ନୁହେଁ, ଖୋଦ ପୁଲିସ ବିଭାଗର ଆଭ୍ୟନ୍ତରୀଣ ରିପୋର୍ଟ । ୨୦୧୯ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ ମାସ ଓ ୨୦୨୦ କ୍ୟାଲେଣ୍ଡର ବର୍ଷର ତୁଳନାତ୍ମକ ବିବରଣୀ । ଗତବର୍ଷ ଏହି ଅବଧି ମଧ୍ୟରେ ରାଜ୍ୟରେ ୧୧୪୯ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ଚଳିତ ବର୍ଷ ଏହି ଅବଧି ମଧ୍ୟରେ ପଞ୍ଜିକୃତ ହୋଇଛି ୧୨୧୨ଟି । ୬ ମାସ ଅର୍ଥାତ୍ ୪୩୨୦ ଘଣ୍ଟାରେ ୧୨୧୨ ଦୁଷ୍କର୍ମ ଅର୍ଥାତ୍ ପ୍ରତି ୪ ଘଣ୍ଟାରୁ କମ୍ ଅବଧି ମଧ୍ୟରେ ଗୋଟିଏ ଗୋଟିଏ ଦୁଷ୍କର୍ମ ପଞ୍ଜିକୃତ ହେଉଛି ।

ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ଦୁଷ୍କର୍ମ ମାମଲା ପ୍ରତିବର୍ଷ ବଢ଼ିବଢ଼ି ଚାଲିଛି । ୨୦୧୭ରେ ଏ ସଂକ୍ରାନ୍ତରେ  ଦୁଷ୍କର୍ମ ୨୨୨୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ଥିଲା ୨୫୦୨ । ୨୦୧୯ରେ ଦୁଷ୍କର୍ମ ସଂଖ୍ୟା ୨୯୫୦ ଛୁଇଁଥିଲା ଓ ୨୦୨୦ର ପ୍ରଥମ ଛଅ ମାସରେ ଏହି ସଂଖ୍ୟା ୧୨୧୨ ରହିଛି । ଏହି ରିପୋର୍ଟ ଅନୁସାରେ ଗତବର୍ଷ ପ୍ରଥମ ଛଅ ମାସଠାରୁ ଚଳିତ ବର୍ଷ ପ୍ରଥମ ଛଅ ମାସ ମଧ୍ୟରେ  ପଞ୍ଜିକୃତ ଅପରାଧ ୧୫.୩% ବୃଦ୍ଧି ପାଇଛି । ମାର୍ଚ ତୃତୀୟ ସପ୍ତାହରୁ ରାଜ୍ୟରେ କରୋନା ଜନିତ ସଟଡ଼ାଉନ ଓ ଲକଡ଼ାଉନ ଯୋଗୁଁ ସଡ଼କ ଦୁର୍ଘଟଣା ପ୍ରାୟ ୨୪% ହ୍ରାସ ପାଇଥିଲେ ହେଁ ଦୁଷ୍କର୍ମ, ଠକେଇ ଓ ରାହାଜନୀ ପରି ଘଟଣାକୁ ରୋକାଯାଇ ପାରିନାହିଁ। ରାଜ୍ୟରେ ପ୍ରତିବର୍ଷ ଅପରାଧ ପୂର୍ବବର୍ଷ ତୁଳନାରେ ହାରାହାରି ପଞ୍ଜିକୃତ ଅପରାଧ ବୃଦ୍ଧି ଘଟି ଚାଲିଛି । ୨୦୧୭ ମସିହାରେ ରାଜ୍ୟରେ ମୋଟ ୧୦୩୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୧୮ରେ  ଏହି ସଂଖ୍ୟା ୧୦୭୪୦୮କୁ ବୃଦ୍ଧି ପାଇଥିଲା । ୨୦୧୯ରେ ଏହି ସଂଖ୍ୟା ପ୍ରାୟ ୨୦% ବୃଦ୍ଧି ପାଇ ୧୨୧୫୨୫ ପହଞ୍ଚିଥିଲା । ଅନ୍ୟପକ୍ଷରେ ଗତବର୍ଷ ପ୍ରଥମ ୬ ମାସରେ ରାଜ୍ୟରେ ୫୪୪୭୩ଟି ଅପରାଧ ପଞ୍ଜିକୃତ ହୋଇଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୫% ବୃଦ୍ଧି ପାଇ ୬୨୮୧୭ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ହତ୍ୟା ମାମଲା ୧.୯% ହ୍ରାସ ପାଇଛି, ଡ଼କାୟତି ୬.୬% କମିଛି, ଗୋଷ୍ଠୀ ସଂଘର୍ଷ ୯.୯% ଓ ମୋଟର ଦୁର୍ଘଟଣା ୨୪% ହ୍ରାସ ପାଇଛି । ମାତ୍ର ବଳାତ୍କାର ମାମଲା ୫.୪% ବୃଦ୍ଧି ପାଇଥିବାବେଳେ ଠକେଇ ୨୫.୩% ଓ  ବଡ଼ ଧରଣର (ବର୍ଗଲାରୀ) ଲୁଟତରାଜ ୨୧% ବଢ଼ିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ବିରୋଧୀଦଳଗୁଡ଼ିକ ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରୁଥିବାବେଳେ ରାଜ୍ୟର ସାଧାରଣ ଲୋକ ଅପରାଧ ବୃଦ୍ଧି ଓ ଆଇନଶୃଙ୍ଖଳା ସମସ୍ୟା ନେଇ ବିରୋଧୀ ଦଳର ଲୋକମାନଙ୍କ ସହ ଅସହମତ ହୋଇପାରୁ ନାହାନ୍ତି । ‘ସମାଜଲାଇଭ୍.ଇନ୍’ ପକ୍ଷରୁ କରାଯାଇଥିବା ଜନମତ ଅନୁସାରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସଂକ୍ରାନ୍ତରେ ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି ତାହା ସତ୍ୟବୋଲି ସଂଖ୍ୟାଧିକ ମତଦାତା କହିଛନ୍ତି । ବିରୋଧୀଙ୍କ ଅଭିଯୋଗକୁ ୧୫% ମତଦାତା ପ୍ରତ୍ୟାଖ୍ୟାନ କରିଛନ୍ତି । ବିରୋଧୀଙ୍କ ଅଭିଯୋଗରେ ସତ୍ୟତା ନାହିଁ ବୋଲି ଏହି ମତଦାତା ମତ ଦେଇଥିବାବେଳେ ୭୯% ମତଦାତା ବିରୋଧୀମାନଙ୍କ ଅଭିଯୋଗରେ ସତ୍ୟତା ଥିବା କହିଛନ୍ତି । ସେହିପରି ୬% ମତଦାତା ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Comments are closed.