ଛତିଶଗଡ଼ ବିପକ୍ଷରେ ଓଡ଼ିଶାର ଇନିଂସ ବିଜୟ

ରଣଜୀ ଟ୍ରଫି: ପେସରଙ୍କ ଘାତକ ବୋଲିଂ; ରାଜେଶ ‘ପ୍ଲେୟର ଅଫ୍ ଦି ମ୍ୟାଚ୍‌’

କଟକ: ଦମ୍‌ଦାର ପ୍ରଦର୍ଶନ ସହ ଓଡ଼ିଶାର ସିନିୟର କ୍ରିକେଟ ଦଳ ୨୦୧୯-୨୦ ରଣଜୀ ଟ୍ରଫି ସିଜିନ୍ ଆରମ୍ଭ କରିଛି। ତା’ର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଇନିଂସ ବିଜୟ ହାସଲ କରିଛି। ଏଲିଟ୍‌ ଗ୍ରୁପ୍ ‘ସି’ର ଏହି ମ୍ୟାଚ୍‌ରେ ଇନିଂସ ଓ ୩ ରନ୍‌ରେ ଛତିଶଗଡ଼କୁ ପରାସ୍ତ କରିଛି। କ୍ରମାଗତ ୨ୟ ଇନିଂସରେ ଓଡ଼ିଶାର ୩ ପେସ୍ ବୋଲର- ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଚମତ୍କାର ବୋଲିଂକରି ଓଡ଼ିଶାକୁ ଏହି ଇନିଂସ ବିଜୟ ଦେଇଛନ୍ତି। ଫଳରେ ଓଡ଼ିଶାକୁ ବୋନସ୍ ସହ ୭ ପଏଣ୍ଟ ମିଳିଛି। ଓଡ଼ିଶା ପ୍ରଥମ ଇନିଂସରେ ୮୧ ରନ୍ ଆଗରେ ଥିବା ବେଳେ ଛତିଶଗଡ଼ ୨ୟ ଇନିଂସରେ ଓଡ଼ିଶା ପେସ୍ ବୋଲରଙ୍କ ସମ୍ମୁଖୀନ ହୋଇନପାରି ବୁଧବାର ୩ୟ ଦିନରେ ମାତ୍ର ୭୮ ରନ୍‌ରେ ଅଲ୍‌ଆଉଟ ହୋଇ ଏହି ପରାଜୟ ଭୋଗିଛି। ଚଳିତମାସ ୧୭ରୁ ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଘରୋଇ ଓଡ଼ିଶା ଭ୍ରମଣକାରୀ ସର୍ଭିସେସ୍ ବିପକ୍ଷରେ ୨ୟ ଲିଗ୍ ମ୍ୟାଚ୍ ଖେଳିବ।
ପ୍ରଥମ ଇନିଂସରେ ୮୧ ରନ୍ ପଛରେ ରହିଥିବା ଛତିଶଗଡ଼ ୨ୟ ଦିନ ଶେଷ ସୁଦ୍ଧା ୨ୟ ଇନିଂସରେ ୧ ୱିକେଟ ହରାଇ ୪୫ ରନ୍ କରିଥିଲା। ବୁଧବାର ୩ୟ ଦିନରେ ଛତିଶଗଡ଼ ତା’ର ୨ୟ ଇନିଂସ ସ୍କୋର୍‌ରେ ଆଉ ମାତ୍ର ୩୩ ରନ୍ ଯୋଗକରି ବାକି ୯ଟି ୱିକେଟ ହରାଇଥିଲା। ଫଳରେ ଭୋଜନ ବିରତି ପୂର୍ବରୁ ମ୍ୟାଚ୍ ସମାପ୍ତ ହୋଇ ଯାଇଥିଲା। ଉଲ୍ଲେଖଯୋଗ୍ୟ; ଛତିଶଗଡ଼ ତା’ର ଶେଷ ୮ଟି ୱିକେଟ ମାତ୍ର ୭ ରନ୍‌ରେ ହରାଇ ୭୮ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଆଶୁତୋଷ ସିଂହଙ୍କୁ ଛାଡ଼ି ଘରୋଇ ଛତିଶଗଡ଼ର କୌଣସି ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍ କରି ପାରିନଥିଲେ। ବୁଧବାର ସକାଳୁ ଅଭିଜ୍ଞ ଓପ୍‌ନର ଜୀବନଜୋତ ସିଂହ ୧୨ ରନ୍‌କରି ଆଉଟ ହୋଇଥିଲେ। ପରେ ହରପ୍ରୀତ ସିଂହ ଭାଟିଆ ୧୧ ରନ୍‌କରି ବିଦାୟ ନେବା ସହ ୬ ଓଭରରେ ଛତିଶଗଡ଼ ଶେଷ ୮ଟି ୱିକେଟ ହରାଇଥିଲା। ଆଶୁତୋଷ ସିଂହ ୯୬ ବଲ୍‌ରୁ ୮ଟି ଚୌକା ସହ ସର୍ବାଧିକ ୪୩ ରନ୍ କରିଥିଲେ। ଛତିଶଗଡ଼ର ୫ ବ୍ୟାଟ୍‌ସମ୍ୟାନ୍ ଖାତା ଖୋଲି ପାରିନଥିଲେ। ରାଜେଶ ମହାନ୍ତି ୧୯ ରନ୍‌ଦେଇ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩୪ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ବସନ୍ତ ମହାନ୍ତି ୨୩ ରନ୍‌ଦେଇ ୨ଟି ୱିକେଟ ପାଇଥିଲେ। ପ୍ରଥମ ଇନିଂସରେ ୬ଟି ୱିକେଟ ପାଇଥିବା ରାଜେଶ ମହାନ୍ତି ୨ୟ ଇନିଂସରେ ୪ଟି ୱିକେଟ ନେଇ ମ୍ୟାଚ୍‌ରେ ୧୦ଟି ୱିକେଟ ନେବାର କୃତିତ୍ବ ହାସଲ କରିଛନ୍ତି। ୧୦ଟି ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିବା ରାଜେଶ ୨ୟ ଥର ପାଇଁ ଏକ ମ୍ୟାଚ୍‌ରେ ୧୦ଟି ୱିକେଟ ନେଇଛନ୍ତି। ତାଙ୍କର ଏହି କୃତିତ୍ବ ପାଇଁ ରାଜେଶ ମହାନ୍ତି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।

Comments
Loading...