ଶେଷ ସନ୍ଧ୍ୟାରେ ‘କପ୍ ବୋର୍ଡର କଙ୍କାଳ’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ୫ଦିନିଆ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ‘ରଙ୍ଗ ସଙ୍ଗମ’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ଭୁବନେଶ୍ବର ଏକ୍ସପ୍ରେସନ ସଂସ୍ଥା ପକ୍ଷରୁ ନାଟକ ‘କପ ବୋର୍ଡର କଙ୍କାଳ’ ମଞ୍ଚସ୍ଥ ହୋଇଥିଲା। ୮୦ ମିନିଟ୍ ଅବଧିର ଏହି ନାଟକର ରଚନା, ପରିକଳ୍ପନା ଓ ନିର୍ଦେଶନା ଦେଇଥିଲେ ଦେବାନନ୍ଦ ନାୟକ।ନାଟକର କାହାଣୀ ଅନୁସାରେ ବିବାହ ପରେ ଝିଅ ସରିତା ପ୍ରସବ ପାଇଁ ମାତୃଳୟ ଆସି ଆଜିପର୍ଯ୍ୟନ୍ତ ରହିଛି। ଜ୍ବାଇଁ ଆଦିତ୍ୟ ଅତି ଉତ୍ତମ ଚରିତ୍ରର, ସିଏ ବେଶ୍ କିଛିଦିନ ହେବ ସରିତାର ଯୋଗାଯୋଗ ଏମିତିକି ନିଜ ବାପାମାଆଙ୍କ ଯୋଗାଯୋଗରେ ନାହାନ୍ତି।

ଏନେଇ ବ୍ୟତିବ୍ୟସ୍ତ ସରିତାର ମାଆ। କେବେ ଦିନେ ନିଜ ଇଚ୍ଛାରେ ବଞ୍ଚିବା ଓ ଜୀବନକୁ ସରସ ସୁନ୍ଦର କରିବାକୁ ଯାଇ ବସ୍ତୁବାଦୀ ଦୁନିଆର ଚିରାଚରିତ ନିୟମରୁ ବାହାରି ସେ ଭିନ୍ନ ଏକ ରାସ୍ତାରେ ପାଦ ଦେଇଛନ୍ତି। ସମାଜ ଆଖିରେ ସେଇ ବ୍ୟତିକ୍ରମ ଆଜି ତାଙ୍କ ଏକମାତ୍ର ଝିଅ ସରିତାର ଜୀବନକୁ ଛାରଖାର କରି ଦେବନି ତ…। ଏମିତି ଏକ ଘଟଣାକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘କପ୍ ବୋର୍ଡର କଙ୍କାଳ’। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଦେବାନନ୍ଦ, ବିଶ୍ବରଞ୍ଜନ, ଜୋସେଫ, ଆଶିଷ, ଶାରଦା, ଜଗା, ବାପି, ସୂର୍ଯ୍ୟକାନ୍ତ ଏବଂ ଅନ୍ୟମାନେ। ସନ୍ଧ୍ୟାରେ ଅତିଥିଭାବେ ନାଟ୍ୟ ନିର୍ଦେଶକ ପ୍ରସନ୍ନ ମିଶ୍ର ଏବଂ ଲାଲା ବୀରେନ ରାୟ ଯୋଗ ଦେଇଥଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଞ୍ଜୀବ।

Comments are closed.