ସିଏଏକୁ ନେଇ କଂଗ୍ରେସ ଦେଶକୁ ବଦନାମ୍‌ କରୁଛି: ରାମ ମାଧବ

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନ(ସିଏଏ) ହେଉଛି ମୁସଲମାନମାନଙ୍କୁ ନାଗରିକତା ଦେବାର ଆଇନ, ଏହା କାହାର ନାଗରିକତା ନେବ ନାହିଁ। ଏହି ଆଇନ ସଂଶୋଧନରେ କୌଣସି ବିବାଦ ନାହିଁ କିମ୍ବା କାହା ପ୍ରତି କିଛି ବାଛବିଚାର ନାହିଁ। ମାତ୍ର ଏହାକୁ ବିରୋଧୀ କଂଗ୍ରେସ ଭିନ୍ନ ଢ଼ଙ୍ଗରେ ଗ୍ରହଣ କରି ଦେଶରେ ଜନତାଙ୍କୁ ବିଭ୍ରାନ୍ତ କରୁଛି। ଦେଶର ଏକତା ଓ ଅଖଣ୍ଡତାକୁ ଭୁଲି ବିଶ୍ବଦରବାରରେ ବଦନାମ କରିବାକୁ ବାହାରିଛି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ କହିଛନ୍ତି।
ସୋମବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଧବ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହରୁଙ୍କ ଚିନ୍ତାଧାରାରେ ଦେଶରେ ନାଗରିକମାନଙ୍କୁ ଚିହ୍ନଟ କରିବାପାଇଁ ସିଏଏ ଆଇନ କରାଯାଇଥିଲା। ଏଥିରେ ବିଜେପି ସରକାର କେତେକ ସଂଶୋଧନ କରିଛନ୍ତି। ମାତ୍ର କଂଗ୍ରେସ ସହିତ କେତେକ ବୁଦ୍ଧିଜୀବୀ ଏହାକୁ ନେଇ ଏବେ ସାରା ବିଶ୍ବରେ ଭାରତର ଛବିକୁ ମଳିନ କରିବାକୁ ବାହାରିଛନ୍ତି। ଶାନ୍ତି ଚାହୁଁ ନଥିବା ବିରୋଧୀ ଦଳମାନେ ଓ ସେମାନଙ୍କ ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି। ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି। ସେମାନଙ୍କ ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି। ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସଂଶୋଧନ ଆଇନ ପଡୋଶୀ ଦେଶରେ ଧାର୍ମିକ ଆଧାରରେ ପୀଡ଼ିତ ହୋଇ ଜୀବନ ବଞ୍ଚାଇବା ପାଇଁ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି। ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ)ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛି ରାଜନୈତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରୁଛନ୍ତି। ଏଥିପାଇଁ ବିଜେପି ପକ୍ଷରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ବୁଦ୍ଧିଜୀବୀମାନଙ୍କ ସହିତ ସର୍ମ୍ପକ କରାଯାଉଛି। ଏହି କ୍ରମରେ ସାରା ଦେଶରେ ୧କୋଟି ଲୋକଙ୍କୁ ଅବଗତ କରାଯିବ।
ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଦ୍ୱିତୀୟବାର ନିର୍ବାଚନ ବିଜୟ, ତିନି ତଲାକ ବିଲ୍, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ-ଏସବୁ ଘଟଣାରେ ବିରୋଧୀଦଳ ହତୋତ୍ସାହିତ ହୋଇପଡିଛନ୍ତି। ଏବେ ସେମାନେ ସିଏଏକୁ ନେଇ ପାଣିକୁ ଗୋଳିଆ କରିବାର ଏକ ସୁଯୋଗ ଖୋଜୁଛନ୍ତି। କିନ୍ତୁ ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ ବୋଲି ଶ୍ରୀମାଧବ କହିଛନ୍ତି। ନାଗରିକ ସଂଶୋଧନ ଆଇନ ଆଣି ବିଶ୍ୱ ଦରବାରରେ ପାକିସ୍ତାନରେ ଅଣମୁସଲମାନମମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ୱକୁ କହିବାର ସୁଯୋଗ ଥିଲା। କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତପାଇଁ ସେ ସୁଯୋଗ ଆମେ ହରାଇଲୁ। ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତି। ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମମାଧବ ପ୍ରଶ୍ନ କରିଛନ୍ତି। ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି। ଭାରତୀୟ ମୁସଲମାନଙ୍କ ସହ ସିଏଏ ଏବଂ ଏନ୍ଆରସିର କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ମାଧବ କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି, ନୟନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.