ଉଦ୍ଭାବନ ହେଲା ‘ରାମାନୁଜନ୍‌ ମେସିନ’ : ଭାରତୀୟ ଗଣିତଜ୍ଞଙ୍କ ନାମରେ ନାମିତ କଲା ଇସ୍ରାଏଲ

ଜେରୁସାଲେମ(ଇସ୍ରାଏଲ) : ଆଲଗୋରିଦିମର ସରଳ ସମାଧାନ ପାଇଁ ଇସ୍ରାଏଲର ବରିଷ୍ଠ ଗଣିତଜ୍ଞମାନେ ଏକ ଯନ୍ତ୍ରାଂଶ ଉଦ୍ଭାବନ କରିଛନ୍ତି। ଭାରତର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌ଙ୍କ ନାମରେ ସେମାନେ ଏହି ମେସିନର ନାମ ‘ରାମାନୁଜନ୍‌ ମେସିନ’ ରଖିଛନ୍ତି। ସମସ୍ତ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ପାଲଟିଛି।
ଗଣିତ ଓ କମ୍ପ୍ୟୁଟର ବିଜ୍ଞାନରେ ଏଲଗୋରିଦିମ୍‌ର ସଂଜ୍ଞା ବର୍ଣ୍ଣନା କରାଯାଇଛି। କମ୍ପ୍ୟୁଟରରେ ସଂଖ୍ୟା ଗଣନା, ତଥ୍ୟ ବିଶ୍ଳେଷଣ, ଗାଣିତିକ ସମସ୍ୟା ଓ ସମୀକରଣଗୁଡ଼ିକର ସରଳ ସମାଧାନ ଆଦି କାର୍ଯ୍ୟକୁ ଏଲଗୋରିଦିମ୍‌ କୁହାଯାଏ। ଇସ୍ରାଏଲ ବୈଷୟିକ ପ୍ରତିଷ୍ଠାନ ‘​‌େ​‌ଟକ୍ନିୟନ’ର ଗଣିତଜ୍ଞମାନେ ଏପରି ଏକ ଯନ୍ତ୍ରାଂଶ ଉଦ୍ଭାବନ କରିଛନ୍ତି ଯାହା ଗାଣିତିକ ସୂତ୍ର ଓ ସମୀକରଣଗୁଡ଼ିକୁ ସ୍ବଳ୍ପ ସମୟ ମଧ୍ୟରେ ପୁଙ୍ଖାନୁପୁଙ୍ଖ ବୁଝାଇ ପାରିବା ସହ ଏହାର ବିକଳ୍ପ କ’ଣ ହୋଇପାରେ ତାହା ମଧ୍ୟ ସୂଚାଇ ଦେଇ ପାରିବ। କମ୍ପ୍ୟୁଟର ଅପେକ୍ଷା ‘ରାମାନୁଜନ୍‌ ମେସିନ’ ଆଲଗୋରିଦିମ୍‌କୁ ସ୍ବୟଂଚାଳିତ ଭାବେ ସ୍ବଳ୍ପ ସେକେଣ୍ଡ ମଧ୍ୟରେ ସମାଧାନ କରିବା ସହ ଏହାର ଏକାଧିକ ବିକଳ୍ପ ସୂଚନା ପ୍ରଦାନ କରିଥାଏ। ଗଣିତ କ୍ଷେତ୍ରକୁ ଏହି ମେସିନ୍‌ର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ବୋଲି ଏହାକୁ ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ ମତ ଦିଅନ୍ତି। ଭାରତୀୟ ଗଣିତଜ୍ଞଙ୍କ ସମ୍ମାନ ପାଇଁ ଇସ୍ରାଏଲ ଏପରି ନାମକରଣ କରିଥିବା କହିଛି। ଏହି ମେସିନ ଏବେ ବିଶ୍ବର ଅଧିକାଂଶ ଆଧୁନିକ କମ୍ପ୍ୟୁଟର ପ୍ରୟୋଗଶାଳାରେ ବ୍ୟବହୃତ ହେଉଛି। ଆଗାମୀ ପିଢି ଏହାଦ୍ବାରା ବେଶ ଉପକୃତ ହୋଇପାରିବେ ବୋଲି ‘‌େ‌ଟକ୍ନିୟନ’ର ବୈଜ୍ଞାନିକମାନେ ମତ ଦେଇଛନ୍ତି।
ବିଶ୍ବର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବେ ଶ୍ରୀନିବାସ ରାମାନୁଜନ୍‌ଙ୍କ ନାମ ସର୍ବାଗ୍ରେ ରହିଛି। ୧୮୮୭ରେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅଞ୍ଚଳରେ ତାଙ୍କ ଜନ୍ମ। ସେ ଗଣିତ ବିଷୟରେ କୌଣସି ବିଶେଷ ଶିକ୍ଷା ଲାଭ କରି ନଥିଲେ। ତେବେ ଗାଣିତିକ ସମସ୍ୟାର ସମାଧାନ ଓ ସୂତ୍ର ବାହାର କରିବାର କଳା ତାଙ୍କୁ ବେଶ୍‌ ଜଣାଥିଲା। ସେ ସମୟରେ ଭାରତ ବ୍ରିଟିଶ ଶାସନାଧୀନ ଥିବାରୁ ତାଙ୍କର ଏହି ପରାକାଷ୍ଠା ବିଶ୍ବବାସୀଙ୍କୁ ଜଣା ନଥିଲା। ସମଗ୍ର ଜୀବନ କାଳ ମଧ୍ୟରେ ରାମାନୁଜନ୍‌ଙ୍କୁ କେହି ସ୍ବୀକାର କରି ନଥିଲେ ଅଥବା ଜାଣି ନଥିଲେ।
ଗାଣିତିକ ବିଶ୍ଳେଷଣ, ସମୀକରଣ ସମାଧାନ ଓ ଗାଣିତିକ ସୂତ୍ର ବ୍ୟବହାର କରିବାରେ ସେ ଥିଲେ ସିଦ୍ଧହସ୍ତ। ମୃତ୍ୟୁପରେ ତାଙ୍କ ଦ୍ବାରା ସମାଧାନ ହୋଇଥିବା ସମୀକରଣ, ବିଭିନ୍ନ ଗାଣିତିକ ସୂତ୍ର ଓ ସଂଖ୍ୟା ଗଣନାକୁ ପାଶ୍ଚାତ୍ୟର ବୈଜ୍ଞାନିକମାନେ ବିଭିନ୍ନ ବିଜ୍ଞାନାଗାରାରେ ବ୍ୟବହୃତ କରି ବେଶ୍‌ ସଫଳତା ପାଇଥିଲେ। ଏବେ ବି ରାମାନୁଜନ୍‌ ବାହାର କରିଥିବା ଗାଣିତିକ ସୂତ୍ର ଓ ସମୀକରଣ ସମାଧାନ କରିବାର ପନ୍ଥା ସମଗ୍ର ବିଶ୍ବରେ ପ୍ରଚଳିତ। ମୃତ୍ୟୁପରେ ସମଗ୍ର ବିଶ୍ବର ଗଣିତଜ୍ଞମାନେ ତାଙ୍କୁ ସର୍ବଶ୍ରେଷ୍ଠ ଗାଣିତିକ ସୂତ୍ରଧର ଭାବେ ବିଚାର କରନ୍ତି। ଏପରି ଜଣେ ଭାରତୀୟ ଗଣିତଜ୍ଞଙ୍କ ନାମରେ ଇସ୍ରାଏଲ ଏକ ମେସିନ ଉଦ୍ଭାବନ କରିବା ଦେଶବାସୀଙ୍କ ପାଇଁ ଗୌରବର ବିଷୟ ବୋଲି କୁହାଯାଉଛି।

Comments are closed.