ରକ୍ଷକ ତାଲିମ କେନ୍ଦ୍ର ଉଦଘାଟିତ

ସମ୍ବଲପୁର: ସଡକ ନିରାପତ୍ତା କାର୍ଯ୍ୟକ୍ରମ ଅର୍ନ୍ତଗତ ‘ରକ୍ଷକ’କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୦ରେ ଉଦଘାଟନ କରିବା ପରେ ମୂଲ୍ୟବାନ ଜୀବନକୁ ଦୁର୍ଘଟଣାରୁ କିଭଳି ବଞ୍ଚାଯାଇପାରିବ ତାହା ଉପରେ ସରକାର ବଳିଷ୍ଠ ପଦକ୍ଷେପ ନେଉଛନ୍ତି। ୩୦ଟି ଜିଲାରେ ୩୦ ହଜାର ଫାଷ୍ଟ ରେସପଣ୍ଡର୍ସଙ୍କୁ ତାଲିମ ଦେବାର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସମ୍ବଲପୁର ସ୍ଥିତ ଜିଲା ପରିଷଦର ସମ୍ମିଳନୀ କକ୍ଷରେ ଟ୍ରେନିଂ ଅଫ ଟ୍ରେନର୍ସ (ଟିଓଟି)ମାନଙ୍କ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ସମେତ ସୋନପୁର ଓ ବରଗଡ ଜିଲାର ରେଡକ୍ରସ ସ୍ୱେଚ୍ଛାସେବୀ ଓ ସମ୍ବଲପୁର ଏନଜିଓ ସାର୍କର ସଦସ୍ୟଙ୍କ ସହିତ ସମୁଦାୟ ୩୭ ଜଣଙ୍କୁ ଆଜି ତାଲିମ ଦିଆଯାଇଛି।

ତାଲିମ ନେଇଥିବା ପ୍ରଶିକ୍ଷାର୍ଥୀମାନେ ବିଭାଗ ତରଫରୁ ଚିହ୍ନିତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଅଥବା ବ୍ଲାକ ସ୍ପଟ ଅଞ୍ଚଳର ଜନସାଧାରଣଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ତାଲିମ ପ୍ରଦାନ କରି ସଂପୃକ୍ତ ଅଞ୍ଚଳରେ ଦୁର୍ଘଟଣା ରୋକିବା ସହିତ ଯଦି ଦୁର୍ଘଟଣା ହୁଏ ତାହା ହେଲେ ତୁରନ୍ତ ଗୁରୁତର ଥିବା ବ୍ୟକ୍ତିଙ୍କୁ ସେବା କିଭଳି ଭାବରେ ଯୋଗାଇ ଦିଆଯାଇ ପାରିବ ତାହାର ତାଲିମ ପ୍ରଦାନ କରିବେ। ଦୁର୍ଘଟଣା ହେବାର ପ୍ରଥମ ୧ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦୁର୍ଘଟଣା ପ୍ରବଣ ଅଞ୍ଚଳର ନିବାସୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେବା ଯୋଗାଇ ଦେଲେ ଏହା ନିଶ୍ଚିତ ଫଳପ୍ରଦ ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି।

ବୁଧବାର ପୂର୍ବାହ୍ନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ପରିବହନ କମିଶନର ଶ୍ରୀନିବାସ ବେହେରା, ଉପ ପରିବହନ କମିଶନର (ଉତ୍ତରାଞ୍ଚଳ) ଦୀପ୍ତି ରଞ୍ଜନ ପାତ୍ର, ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ, ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବଲପୁର ପ୍ରମୋଦ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ବରଗଡଙ୍କ ସମେତ ପ୍ରମୁଖ ପ୍ରଶିକ୍ଷକ ରଜନୀକାନ୍ତ ମିଶ୍ର ଓ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.