ସାକ୍ଷୀଗୋପାଳ ମନ୍ଦିରରେ ପାରମ୍ପରିକ ରୀତିରେ ରକ୍ଷା ବନ୍ଧନ ପାଳିତ

ସାକ୍ଷୀଗୋପାଳ : ଆଜି ପବିତ୍ର ରକ୍ଷା ବନ୍ଧନ। ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିରରେ ଏହି ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ଦ୍ବିପ୍ରହର ଧୂପରେ ଠାକୁର ଶ୍ରୀ ଶ୍ରୀ ଗୋପାଳଜୀଉ ନବ ବସ୍ତ୍ର ପରିଧାନ କରିଥିଲେ। ମସ୍ତକରେ ସୁବର୍ଣ୍ଣ ମୁକୁଟ, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ହସ୍ତରେ ସୁବର୍ଣ୍ଣ ବଂଶୀ ଶୋଭା ପାଉଥିଲା। ଠାକୁରଙ୍କୁ ରାକ୍ଷୀ ଲାଗି ଓ ଗହମରେ ପ୍ରସ୍ତୁତ ମଣ୍ଡା ପିଠା ଭୋଗ କରାଯାଇଥିଲା।ସନ୍ଧ୍ୟା ଧୂପ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବ ବିମାନରେ ବିରାଜମାନ କରି ଗହ୍ମା ବେଦୀକୁ ବିଜେ କରିଥିଲେ। ସେଠାରେ ଆଳତି, ଉପଚାର, ମଣ୍ଡା ଭୋଗ ଓ ରାକ୍ଷୀ ବନ୍ଧନ କରାଯାଇଥିଲା। ସିଂହାରୀ ଓ ପୂଜାପଣ୍ଡା ସେବାୟତ ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମନ୍ଦିର କର୍ମଚାରୀ ଠାକୁରଙ୍କୁ ଭେଟି ପ୍ରଦାନ କରିଥିଲେ।
ନୀତିକାନ୍ତି ଶେଷ ପରେ ଠାକୁର ବିମାନରେ ଝୁଲଣ ମଣ୍ଡପକୁ ବିଜେ କରିଥିଲେ। ଝୁଲଣ ମଣ୍ଡପରେ ଓଡିଶୀ ନୃତ୍ୟ ଓ ସଂଗୀତ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ପରେ ପହୁଡ଼ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ହଳଦୀ ପାଣି ଅନୁଷ୍ଠିତ ହେବ। ଗହ୍ମା ପୂର୍ଣ୍ଣିମା ଅବସରରେ କୃଷକ ମାନେ ବଳଦ ମାନଙ୍କୁ ସକାଳୁ ଗାଧୋଇ ଦେଇଥିଲେ।ବଳଦ ମାନଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି, ବଳଦମାନଙ୍କୁ ଘରେ ରଖି  ବନ୍ଦାପନା କରି ମଣ୍ଡା ପିଠା ଖାଇବାକୁ ଦେଇଥିଲେ।

Comments are closed.