ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା : ସୁଜିତ କୁମାର ଧନୀ, ମମତାଙ୍କ ସମ୍ପତ୍ତି ମୂଲ୍ୟ ସବୁଠାରୁ କମ

ସୁବାସଙ୍କ ନାମରେ ରହିଛି ୯ ମାମଲା

ଭୁବନେଶ୍ୱର, ୧୧ା୩(ସ.ପ୍ର): ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ସତ୍ୟପାଠରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତିର ମୂଲ୍ୟ ଏବଂ ମାମଲା ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରାର୍ଥୀଙ୍କ ମଧ୍ୟରେ ସୁଜିତ କୁମାର ସମସ୍ତଙ୍କ ଠାରୁ ଅଧିକ ଧନୀ ହୋଇଥିବା ବେଳେ ମମତା ମହାନ୍ତଙ୍କ ସମ୍ପତ୍ତିର ମୂଲ୍ୟ ସମସ୍ତଙ୍କଠାରୁ କମ ଥିବା ଜଣାଯାଇଛି।
– ସୁଜିତ କୁମାରଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୮୯ ଲକ୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୧ ଲକ୍ଷ ଟଙ୍କା ରହିଛି। ସେ ହାବାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
– ସୁବାସ ସିଂହଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୮୩ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା​‌ ବେଳେ ତାଙ୍କ ପତ୍ନୀଙ୍କ ନାମରେ ୧କୋଟି ୨୯ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଥି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସୁବାସଙ୍କ ନାମରେ କଟକର ବିଭିନ୍ନ ଅଦାଲତରେ ୨୦୦୧ରୁ ୨୦୧୦ ମଧ୍ୟରେ ୯ଟି ଫୌଜଦାରି ମାମଲା ଚାଲିଛି। ସୁବାସ ୧୯୮୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ କରିଥିବା ବେଳେ ୧୯୮୬ରେ ଆଇନ ଶିକ୍ଷା ସମାପ୍ତ କରିଥିଲେ।
– ମୁନ୍ନା ଖାଁଙ୍କ ନାମରେ ୧କୋଟି ୪୦ ଲକ୍ଷ ଓ ତାଙ୍କ ପତ୍ନୀଙ୍କ ନାମରେ ୯୧ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି। ମୁନ୍ନା ଖାଁ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ମାଟ୍ରିକ ପାସ କରିଛନ୍ତି।
– ମମତା ମହାନ୍ତଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୭ଲକ୍ଷ ୬୭ ହଜାର ଟଙ୍କା ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ନାମରେ ୧୬ଲକ୍ଷ ୮୧ ହଜାର ଟଙ୍କାର ସମ୍ପତ୍ତି ରହିଛି। ମମତା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ସ୍ବାମୀ ପୁଲିସ ବିଭାଗରେ ଚାକିରି କରୁଛନ୍ତି।

Comments are closed.