ରାଜ୍ୟସଭାରେ ବିଶୃଙ୍ଖଳା : ୧୨ ସାଂସଦ ନିଲମ୍ବିତ

ମୌସୁମି ଅଧିବେଶନରେ କାଳରେ ଗୃହରେ ହୋହଲ୍ଲା

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ରାଜ୍ୟସଭାର ୧୨ଜଣ ବିରୋଧୀ ଦଳ ସଦସ୍ୟଙ୍କୁ ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ନିଲମ୍ବନ କରାଯାଇଛି । ଗତ ଅଗଷ୍ଟରେ ସଂସଦର ମୌସୁମୀ ଅଧିବେଶନ କାଳରେ ଗୃହରେ ହୋହଲ୍ଲା କରିଥିବା କାରଣରୁ ବିରୋଧୀ ଦଳର ସାଂସଦଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ସଦସ୍ୟମାନେ ହେଲେ କଂଗ୍ରେସର ଫୁଲୋ ଦେବୀ ନେତମ, ଛାୟା ବର୍ମା, ରିପୁନ ବୋରା, ରାଜମଣି ପଟେଲ,ସୟଦ ନାସିର ହୁସେନ ଓ ଅଖିଲେଶ ପ୍ରସାଦ ସିଂହ। ସେହିପରି ସିପିଏମ୍‌ର ଏଲାମାରାମ କରିମ, ସିପିଆଇ ବିନୟ ବିଶ୍ବାମ, ତୃଣମୂଳ କଂଗ୍ରେସର ଡୋଲା ସେନ ଓ ଶାନ୍ତା ଛେତ୍ରୀ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ ଦେଶାଇ। ବିରୋଧୀ ଦଳର ସଦସ୍ୟଙ୍କୁ ଏହି ନିଲମ୍ବନ ଆଗାମୀ ଦିନରେ ସଂସଦର ବଡ ବିତର୍କର ବିଷୟ ହେବ। ଆଜି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ ଗତ ଅଧିବେଶନ ସମୟରେ ଗୃହରେ ଯେଉଁ ସବୁ ଘଟଣା ଘଟି ଯାଇଥିଲା ତାକୁ ନେଇ ସେ ଦୁଃଖିତ । କେତେକ ସଦସ୍ୟଙ୍କ ବିଶୃଙ୍ଖଳିତ ଓ ଅନିୟନ୍ତ୍ରିତ ଆଚରଣ ସମସ୍ତଙ୍କୁ ଆଘାତ ଦେଇଛି। ତେଣୁ ଏପରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବନ କରାଯାଉଛି। ନାଇଡୁ ସଦସ୍ୟଙ୍କ ନିଲମ୍ବନ ଘୋଷଣା କରିବା ସହିତ ଆଗାମୀ ଦିନରେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଲାଗି ଅନ୍ୟ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି।
ଗତ ମୌସୁମୀ ଅଧିବେଶନର ଶେଷ ଦିନରେ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପୋଗସସ୍ ଗୁଇନ୍ଦାଗିରି ଓ କୃଷି ଆଇନକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବା ସହିତ ଗୃହରେ କାର୍ଯ୍ୟରତ ଅଧିକାରୀଙ୍କ ଟେବୁଲ ଉପରେ ଚଢିଯାଇଥିଲେ। ସେମାନେ ଟେବୁଲ ଉପରେ ଠିଆ ହୋଇ କଳା ପତାକା ଉଡାଇବା ସହିତ ନଥିପତ୍ର ସବୁକୁ ଫୋପଡାଫିଙ୍ଗା କରିଥିଲେ। ଏପରିକି ସେମାନେ ଗୃହର ସୁରକ୍ଷାକର୍ମୀଙ୍କୁ ଠେଲାପେଲା କରିଥିଲେ। ଅନ୍ୟପଟେ ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ସୁରକ୍ଷା କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଗୃହର ଅଧ୍ୟକ୍ଷ ନାଇଡୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆବଶ୍ୟକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ୧୨ ବିରୋଧୀ ସଦସ୍ୟଙ୍କୁ ଆଜି ନିଲମ୍ବନ କରାଯାଇଛି। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ମୌସୁମୀ ଅଧିବେଶନକୁ ୨ଦିନ ପୂର୍ବରୁ ମୁଲତବୀ ଘୋଷଣା କରାଯାଇଥିଲା।

Comments are closed.