ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ; ଏମିତି ଥିଲା ତାଙ୍କ ଜୀବନର ସଂଘର୍ଷ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । ୫୮ ବର୍ଷ ବୟସ​‌ରେ ଦିଲ୍ଲୀ ଏମ୍‌ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୧୦ ତାରିଖରୁ ଏମ୍‌ସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଚାଲିଥିଲା । ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ଜିମରେ ବ୍ୟାୟାମ ସମୟରେ ହୃଦଘାତରେ ପୀଡିତ ହୋଇଥିଲେ ରାଜୁ ଶ୍ରୀବାସ୍ତବ ।  ପରେ ପରେ ତାଙ୍କର ସ୍ୱାସ୍ଥାବସ୍ଥାରେ ସ୍ୱଳ୍ପ ଉନ୍ନତି ଆସିଥିଲା । ହେଲେ ପୁଣି ସେ ଗୁରୁତର ହୋଇପଡ଼ିଥିଲେ । ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । କିନ୍ତୁ ଆଜି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ଖବର ଜାଣିବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କ ଭେଣ୍ଟିଲେଟର​‌ରେ ରଖାଯାଇଥିଲା । ୪୧ ଦିନ ଧରି ସେ ଭେଣ୍ଟିଲେଟରରେ ରହିଥିଲେ । କାନପୁରରୁ ମାୟାନାଗରୀ ଯାତ୍ରା ଥିଲା ରାଜୁଙ୍କ ପାଇଁ ଅନେକ କଠିନ । ହେଲେ ତାଙ୍କ ପ୍ରତିଭା ଯୋଗୁଁ ସେ ଲୋକଙ୍କ ହୃଦୟକୁ ଜିଣିପାରିଥିଲେ । ଡିସେମ୍ବର ୨୫ ତାରିଖ ୧୯୬୩ ମସିହାରେ ରାଜୁ କାନପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ପ୍ରସିଦ୍ଧ କବି ଥିଲେ ।

ସେ ବାଲାଇ କାକାଙ୍କ ନାମରେ କବିତା ପାଠ କରୁଥିଲେ । ୧୯୮୨ ମସିହାରୁ ଆରମ୍ଭ ହୋଇଥିଲା ରାଜୁ ଶ୍ରୀବାସ୍ତବଙ୍କ ସଂଘର୍ଷ । ସେ ମୁମ୍ବାଇ ଯାଇ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନିଜର ପେଟ ପୋଷିବା ପାଇଁ ରାଜୁ ମୁମ୍ବାଇରେ ପ୍ରଥମେ ଅଟୋ ରିକ୍ସା ଚଳାଇଥିଲେ । ପରେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ତାଙ୍କୁ ଏକ ଚଳଚ୍ଚିତ୍ରରେ ଛୋଟ ଭୂମିକା ମିଳିଥିଲା ଏବଂ ସେ ସେହି ଚରିତ୍ରକୁ ଭଲଭାବେ ଲିଭାଇଥିଲେ ।  ରାଜୁ ଶ୍ରୀବାସ୍ତବ ଅନିଲ କପୁରଙ୍କ ତେଜାବ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ତାଙ୍କ କମେଡି ରୋଲ୍ ମାଧ୍ୟମରେ ଲୋକଙ୍କ ମନଜିଣିପାରିଥିଲେ ।

ପରେ ସେ ସଲମାନ ଖାନଙ୍କ ଫିଲ୍ମ ‘ମେନ୍ ପ୍ୟାର କିୟା’ରେ ଟ୍ରକ୍ କ୍ଲିନର୍ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଏହା ବ୍ୟତୀତ ‘ବାଜିଗର’  ଫିଲ୍ମରେ ଜଣେ କଲେଜ ଛାତ୍ର ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ସଞ୍ଜନାଙ୍କ ସେବକ ମେନ୍ ପ୍ରେମ କି ଦେୱାନୀ ହୁନ୍ ଭଳି ଛୋଟ ଭୂମିକାରେ ଅଭିନୟ କରିଥିଲେ । ଖାଲିସେତିକି ନୁହେଁ ସେ ଅନେକ ଚଳଚ୍ଚିତ୍ର ସହ ବିଭିନ୍ନ ରିଆଲିଟି ସୋ’ରେ ତାଙ୍କର କମେଡିର ଯାଦୁ ମଧ୍ୟ ଦେଖାଇଛନ୍ତି ।

Comments are closed.