ମା’ ଓ ଝିଅଙ୍କ ମୃତ୍ୟୁ ଘଟଣା; ଥାନା ଆଗରେ ଶବ ରଖି ଧାରଣା ଦେଲେ ଗାଁଲୋକ

ରାଜନଗର : ରାଜନଗର ବ୍ଲକ ମହୁଲିଆ ପଚାଂୟତ ମାଣପଡା ଗ୍ରାମରେ ମା’ ଓ ଝିଅର ମୃତ୍ୟୁ ଘଟଣାରେ ଗାଁଲୋକେ ରାଜନଗର ଥାନା ଆଗରେ ଶବ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏହା ଆତ୍ମହତ୍ୟା ନୁହେଁ, ବରଂ ମା’ ଓ ଝିଅକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀମାନେ ଆସାମୀମାନଙ୍କୁ ଗିରଫ କରାଯିବା ପାଇଁ ଦାବୀ କରିଥିଲେ। ଦୀର୍ଘ ସମୟ ଧରି ଥାନା ସମ୍ମୁଖରେ ଧାରଣା ଦେବା ପରେ ଏସଡିପି ରଞ୍ଜନକୁମାର ଦେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଘଟଣାର ମୁଖ୍ୟ ଆସାମୀ କୁହାଯାଉଥିବା ସଞ୍ଜୟ କୁମାର ବେହେରାଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହାଛଡା ସେହି ପରିବାରର ସଞ୍ଜୟର ବାପା ଅଜୟ ବେହେରା, ଭାଇ ବାବୁ ବେହେରା ଓ ପପୁ ବେହେରା, ବାବୁର ସ୍ତ୍ରୀ ସଞ୍ଜୁ ବେହେରା, ପପୁର ସ୍ତ୍ରୀ ଅନୁପମା ବେହେରା ଓ ତାର ମା’ ସୁରିଆ ବେହେରାଙ୍କ ନାମରେ ମାମଲା ରୁଜୁ କରିଛି। ସଞ୍ଜୟକୁ ପୁଲିସ ଥାନାକୁ ଆଣିବା ପରେ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି।

ସୂଚନା ଥାଉକି, ମାଣପଡା ଗ୍ରାମର ପତିତପାବନ ନାଥଙ୍କର ସ୍ତ୍ରୀ ପ୍ରମିଳା ନାଥ ଓ ମଝିଆ ଝିଅ ସତ୍ୟପ୍ରିୟା ନାଥ ମୃତ୍ୟୁବରଣ କରିଛନ୍ତି। ସତ୍ୟପ୍ରିୟାକୁ ସଞ୍ଜୟ ନିଜ ଦୋକାନରେ କାମ କରାଉଥିଲା। ପରେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ୮ମାସର ଗର୍ଭବତୀ କରାଇଥିଲା। ଏପରିକି ସଞ୍ଜୟ ତାଙ୍କ ପରିବାରର ସରଳତାର ସୁଯୋଗ ନେଇ ବ୍ୟାଙ୍କରୁ ସମସ୍ତ ଟଙ୍କା ହଡପ କରିଥିଲା। ପ୍ରମିଳା ଚାନ୍ଦିବାଉଁଶମୂଳର ବ୍ୟାଙ୍କ୍ ଅଫ୍ ବରୋଦାକୁ ଯାଇ ନଫେରିବାରୁ ସଞ୍ଜୟ ତାର ମଝିଆ ଝିଅ ସତ୍ୟପ୍ରିୟା ଓ ସାନ ଝିଅ ଅନୁସୂୟାକୁ ଆଣି ରାଜନଗର ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲା। ଉଭୟେ ଦୁଇ ଭଉଣୀ ସଞ୍ଜୟଙ୍କ ସାଙ୍ଗରେ ଯାଇ ଅଲଗା ଅଲଗା ଘରେ ଶୋଇଥିଲେ। ରବିବାର ସକାଳୁ ସତ୍ୟପ୍ରିୟାର ଶବ ସଞ୍ଜୟଙ୍କ ଘର ପଛ ପୋଖରୀରେ ଭାସୁଥିବା ଅବସ୍ଥାରେ ମିଳିଥିଲା। ଖବରପାଇ ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଆଳି ପଠାଇଥିଲା। ଅପରପକ୍ଷରେ ମା’ ପ୍ରମିଳାର ଚପଲ ଓ ମୋବାଇଲ ପୁରୁଣା ମଙ୍ଗଳା ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ କୂଳରୁ ମିଳିଥିଲା। ମାତ୍ର ସେହିଦିନ ସନ୍ଧ୍ୟାରେ ପ୍ରମିଳାର ଶବ ଗୋବର୍ଦ୍ଧନପୁର ଗାଁ ନିକଟ ହଂସୁଆ ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ସୋମବାର ସକାଳୁ ଶବ ବ୍ୟବଛେଦ ପାଇଁ ପଠାଇଥିଲା। ସତ୍ୟପ୍ରିୟାର ଶବ ବ୍ୟବଛେଦ ସମୟରେ ୮ମାସର ଝିଅ ବାହାରିବାରୁ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସଞ୍ଜୟ ବାପା ଅଜୟ ବେହେରା ଗାଁର ୱାର୍ଡ ସଭ୍ୟ ଅଛନ୍ତି। ଗାଁଲୋକେ ତାଙ୍କୁ ଡାକି ତମପୁଅ ସତ୍ୟପ୍ରିୟାକୁ ଗର୍ଭବତୀ କରିବା ସହ ତାକୁ ଓ ତାର ମାକୁ ମାରିବା ସହ ତାର ସମସ୍ତ ଟଙ୍କା ନେଇଯାଇଥିବା ନେଇ ଅଭିଯୋଗ କରିବାରୁ ଏହାକୁ ନେଇ ବଚସା ହୋଇଥିଲା। ଗାଁଲୋକେ ପ୍ରମିଳାର ଶବ ବ୍ୟବଛେଦ ହୋଇ ଫେରିବା ପରେ ଥାନା ଆଗରେ ରଖି ଧାରଣା ଦେଇଥିଲେ। ପ୍ରମିଳାର ସ୍ୱାମୀ ପତିତ ଏଠାରେ ଘରଜ୍ୱାଇଁଆ ଭାବେ ରହିଆସୁଥିଲେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ହେବାରୁ ସେ ତାଙ୍କ ନିଜ ଘର ବାବର ଗାଁକୁ ୧୦ବର୍ଷ ହେଲା ସ୍ତ୍ରୀ ଓ ଝିଅଙ୍କୁ ଛାଡି ଚାଲି ଯାଇଛନ୍ତି। ସ୍ତ୍ରୀ ଓ ଝିଅର ମରିବା ଖବରପାଇ ସୋମବାର ଦିନ ରାଜନଗର ଥାନାରେ ଅଜୟ ବେହେରାଙ୍କ ପରିବାରର ସଦସ୍ୟଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ସଞ୍ଜୟକୁ ଅଟକ ରଖି ପଚରାଉଚରା କରୁଛି।

Comments are closed.