ଛକର ନାଁ ‘ରାଜମହଲ’

ଉତ୍ତରଭୁବନେଶ୍ୱର: ଭୁବନେଶ୍ୱରର ଅନେକ ଛକ, ବଜାରର ନାମ ପଛରେ କିଛି ନା କିଛି କାହାଣୀ ରହିଛି। ସହରର ପ୍ରମୁଖ ସ୍ଥାନ ରାଜମହଲ ଛକ କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ ପରିଚିତ; କିନ୍ତୁ ଏହି ଛକର ନାମ କରଣ ପଛରେ ରହିଛି ରୋମାଞ୍ଚକର ତଥ୍ୟ।
ଏ ସର୍ମ୍ପକରେ ସ୍ଥାନୀୟ ପୁରୁଖା ଲୋକ ପାରେଶ୍ୱର ଖଣ୍ଡାୟତରାୟ କହିଛନ୍ତି, ୧୯୫୨-୫୩ ମସିହାରେ କଟକ ଅଞ୍ଚଳର ରାଜୁ ସାହୁ ନାମକ ଜଣେ ବ୍ୟକ୍ତି ଏଠି ଝୁମ୍ପୁଡ଼ି ହୋଟେଲ କରିଥିଲେ। ତାଙ୍କର ୨ ପୁଅ ଧଡ଼ି ଓ ଅଶୋକ ଏବଂ ତାଙ୍କ ଭଣଜା ହଟ ସମସ୍ତେ ରାଜୁଙ୍କ ସହ ହୋଟେଲରେ ରହୁଥିଲେ। ନୂଆ ରାଜଧାନୀ କଳେବର ସେତେଟା ବୃଦ୍ଧି ହୋଇନଥିଲା। କାଁ ଭାଁ ଗୋଟେ ଅଧେ ବସ ପୁରୁଣା ବସ୍‌ଷ୍ଟାଣ୍ଡକୁ ଆସୁଥିଲା। ଚାରିଆ​‌ଡ଼େ ଖାଁ ଖାଁ ପରିବେଶ। ରାଜୁଙ୍କର ଏକମାତ୍ର ହୋଟେଲ ଏହି ଅଞ୍ଚଳରେ ଥିଲା। ପ୍ର​‌​‌ତ୍ୟୋକ ଲୋକ ସେହି ହୋଟେଲରେ ଖାଦ୍ୟ ପାନୀୟ ଗ୍ରହଣ କରୁଥିଲେ। ଏମିତିକି ସେତେବେଳର ସଚିବ ନୀଳକଣ୍ଠ ରଥ, କ୍ୟାପିଟାଲ ହସ୍ପିଟାଲର ସିଡିଏମଓ ରାଘବ ରାଓ, ନରେନ୍ଦ୍ର ମହାନ୍ତି ଏବଂ ବୀର ନନ୍ଦ ଭଳି ବହୁ ବିଶିଷ୍ଟ ଲୋକ ରାଜୁ ସାହୁଙ୍କ ହୋଟେଲକୁ ଆସୁଥିଲେ। ସେହି ସମୟରୁ ରାଜୁ ବାବୁଙ୍କ ହୋଟେଲ ଅନୁସାରେ ଛକର ନାମ ରାଜମହଲ ନାମକରଣ ହୋଇଛି। ସବୁଠୁ ବଡ଼ କଥା ହେଲା ୧୯୬୦ରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜୁ ସାହୁଙ୍କ ନାମରେ ୨ଟି ପ୍ଲଟ୍‌ ଆଲଟମେଣ୍ଟ କରିଥିଲେ। ସେହି ସ୍ଥାନରେ ତାଙ୍କରି ନାମରେ ଏବେବି ହୋଟେଲ ରହିଛି; କିନ୍ତୁ ରାଜୁ ବାବୁ ନାହାନ୍ତି କିମ୍ବା ତାଙ୍କର ପୁଅ ମଧ୍ୟ ନାହାନ୍ତି। ଏବେ ତାଙ୍କର ନାତିମାନେ ଦାୟିତ୍ୱରେ ଥିବା ବେଳେ ହୋଟେଲ ସ୍ଥାନରେ କୋଠା ଘର ଓ ହୋଟେଲର ନାମ ରାଜମହଲ ରହିଛି। ଇତିମଧ୍ୟରେ ୨ପିଢ଼ିରୁ ଅଧିକ ଲୋକ ଗଲେଣି; କିନ୍ତୁ ଛକର ନାମ ସେମିତି ରହିଛି। ଏହି ଛକ ପୂର୍ବର ସଙ୍କୁଚିତ ଓ ଅନ୍ଧାରିଆ ଥିବା ବେଳେ ଏବେ ବୃହତକାୟ ଛକରେ ପରିଣତ ହୋଇଛି। ପାଖରେ ଫ୍ଲାଏ ଓଭରବ୍ରିଜ୍‍, ବଜାର ଘାଟ, ସାଙ୍ଗକୁ ଭଳିକି ଭଳି ହୋଟେଲ ଓ ରେସ୍ତୋରାଁ ଗଢ଼ି ଉଠିଛି। ଏବେ କିନ୍ତୁ ସେହି ହୋଟେଲ ଥିଲେ ବି ତାହା ଆଉ ଚାଲୁନାହିଁ। ତାକୁ ଭଡ଼ା ଘର ଆକାରରେ ନାତିମାନେ ଲଗାଇଥିବା ପାରେଶ୍ୱର କହିଛନ୍ତି।

Comments are closed.