ସତ୍ୟ ଖବର କ୍ଷୀର ଓ ମିଥ୍ୟା ଖବର ପାଣି ; ସାମ୍ବାଦିକ ହିଁ ଏହାକୁ ଅଲଗା କରିପାରିବେ – ରଜନୀକାନ୍ତ

ଚେନ୍ନଇ : ଚେନ୍ନଇରେ ତାମିଲ ପତ୍ରିକା ତୁଗଲକ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ସାମ୍ବାଦିକମାନଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ଜଣେ ସାମ୍ବାଦିକ ବା ଏକ ଗଣମାଧ୍ୟମ ସତ୍ୟର ଅନୁସନ୍ଧାନ କରିବା ସହ ନିରବଛିନ୍ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ। ଯାହାଦ୍ବାରା ସତ୍ୟ ସାମ୍ନାକୁ ଆସିପାରିବ ଏବଂ ଏହା ଉତ୍ତମ ରାଷ୍ଟ୍ର ଗଠନ ପାଇଁ ନିତାନ୍ତ ଆବଶ୍ୟକ ବୋଲି ରଜନୀକାନ୍ତ କହିଛନ୍ତି।
୬୯ବର୍ଷୀୟ ଏହି ଅଭିନେତା କହିଛନ୍ତି, ସତ୍ୟ ଖବର କ୍ଷୀର ଓ ମିଥ୍ୟା ଖବର ହେଉଛି ପାଣି। ଜଣେ ସାମ୍ବାଦିକ ହିଁ କେବଳ ଏହାକୁ ଅଲଗା କରିପାରିବ ବୋଲି ରଜନୀକାନ୍ତ କହିଛନ୍ତି। ସାମ୍ବାଦିକମାନଙ୍କୁ ସ୍ବର୍ଗିୟ ଚୋ ଏସ୍ ରାମାସ୍ବାମୀଙ୍କ ଭଳି ହେବା ପାଇଁ ସେ ନିବେଦନ କରିଛନ୍ତି। ତାମିଲ ପତ୍ରିକା ତୁଗଲକର ସଂସ୍ଥାପକ ହେଉଛନ୍ତି ରାମାସ୍ବାମୀ।
ସେ ଆହୁରି କହିଛନ୍ତି, କିଛି ଗଣମାଧ୍ୟମ ଗୁଡ଼ିକ ନିଦ୍ଧିଷ୍ଠ ରାଜନୈତିକ ପାର୍ଟିକୁ ସୁହାଇଲା ଭଳି ଖବର ପରିବେଷଣ କରୁଛନ୍ତି। ଯାହା କରିବା ଠିକ୍ ନୁହେଁ। ତେବେ ଗଣମାଧ୍ୟମ ଗୁଡିକୁ ବା ଜଣେ ସାମ୍ବାଦିକକୁ ପକ୍ଷପାତିତା ନକରି ସତ୍ୟ ଓ ନିରବଛିନ୍ନ ଖବର ପରିବେଷଣ କରିବା ଆବଶ୍ୟକ ବୋଲି ରଜନୀ କହିଛନ୍ତି।

Comments are closed.