ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ଯୁବକଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳନ ସହିତ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାସରସିକପୁରସ୍ଥିତ କଂଗ୍ରେସ କାର୍ୟ୍ୟାଳୟଠାରେ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଚଳିତବର୍ଷ ଆଠଗଡ ବ୍ଲକରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖୁଣ୍ଟୁକଟାର ଗୋପବନ୍ଧୁ ବାଳିକା ହାଇସ୍କୁଲର ଛାତ୍ରୀ ଶୁଭଲକ୍ଷ୍ମୀ ଦାଶ ଓ +୨ ବିଜ୍ଞାନ ପରୀକ୍ଷାରେ ଗୋପବନ୍ଧୁ ବିଜ୍ଞାନ କଲେଜରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଚିନ୍ମୟ ଚିରସୁନ୍ଦରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବ କଂଗ୍ରସ କର୍ମକର୍ତ୍ତାମାନେ ବେଣ୍ଟପଦା ଓ ବାଳିଗ୍ରାମକୁ ଯାଇ ସେଠାରେ ଚାରାରୋପଣ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। ଏଥିସହିତ ବାଳିଗ୍ରାମରେ ଥିବା ଦଳିତ ସାହିର ଅଧିବାସୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବା ସହ ମାସ୍କ ବଣ୍ଟନ କରାଯାଇଥିଲା। ସେହିପରି ଯୁବ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଘଣ୍ଟିଖାଲ ଗ୍ରାମର ସୌମ୍ୟ ରଞ୍ଜନ ଧଳଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ। ବିକ୍ରମ ବିକାଶ ରାୟସାମନ୍ତ, ପ୍ରଶାନ୍ତ ବେହେରା, ରୋନିତ୍‍ ରଞ୍ଜନ ବେହେରା, ଅବିନାଶ ପ୍ରଧାନ, ଶ୍ରୀତମ ଦାସ, ରଞ୍ଜନ କୁମାର ସେଠୀ, ଚନ୍ଦନ କୁମାର ସାହୁ ଓ ରାହୁଲ କୁମାର ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏହି ସବୁ କାର୍ୟ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.