MEllora 950×100

ବିବାହ ସମାରୋହରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ; ୫ ମୃତ

ଯୋଧପୁର : କ୍ଷଣିକ ମଧ୍ୟରେ ସବୁ ଖୁସି ପାଲଟିଲା ଲୁହରେ। ବିବାହ ସମାରୋହ ଚାଲିଥିବା ସମୟରେ ଖୁସି ପାଲଟିଗଲା ଦୁଃଖରେ। ସମାରୋହରେ ଗ୍ୟାସ ସିଲଣ୍ଡର ବିସ୍ଫୋରଣରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୬୦ ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା ଘଟିଥିବା ନେଇ ଖବର ମିଳିଛି।
ମିଳିଥିବା ସୂଚନାନୁଯାୟୀ, ଯୋଧପୁର ଜିଲାର ଶେରଗଡ ଅନ୍ତର୍ଗତ ଭୁଙ୍ଗ୍ରା ଗ୍ରାମରେ ଗୁରୁବାର ଅପରାହ୍ନରେ ହେଉଥିବା ବିବାହ ସମାରୋହ ବରଯାତ୍ରୀ ବାହାରିବା ପୂର୍ବରୁ ଏକ ବଡ ଅଘଟଣ ଘଟିଥିଲା। ଲିକ୍‌‌ କାରଣରୁ ଗୋଟିଏ ପରେ ଗୋଟିଏ ୬ଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ଆହତ ହୋଇଥିଲେ। ଏହି ଅଘଟଣରେ ମହିଳା ଓ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଏ। ଏହି ଅଘଟଣ ପରେ ସମାରୋହ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିବାହ ସମାରୋହ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା, କିଛି ଗ୍ରାମବାସୀ ଖାଦ୍ୟ ଖାଉଥିଲେ। ହଠାତ୍‌‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

Comments are closed.