ରାଜସ୍ଥାନରେ ସଙ୍କଟ

ସଚିନଙ୍କ ନେତୃତ୍ବ ବିରୋଧରେ ୯୨ କଂଗ୍ରେସ ସଦସ୍ୟଙ୍କ ବିଦ୍ରୋହ

ଜୟପୁର : ରାଜସ୍ଥାନ ସରକାରରେ କ୍ଷମତା ପରିବର୍ତ୍ତନକୁ ନେଇ ଶାସକ କଂଗ୍ରେସ ଦଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଯାଉଥିବାରୁ ସେ ନିଜ ପଦ ଛାଡିବେ। ଗେହଲଟଙ୍କ ଇସ୍ତଫା ପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ସଚିନ ପାଇଲଟ୍ ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଗେହଲଟଙ୍କ ସମର୍ଥକଙ୍କ ପାଇଁ ଅସହ୍ୟ ହୋଇପଡିଛି। ଏପରିକି ସଚିନଙ୍କ ନେତୃତ୍ବକୁ ବିରୋଧ କରି ଗେହଲଟଙ୍କ ଅନୁଗତ ୯୨ ବିଧାୟକ ରବିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକମାନେ ରବିବାର ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଷୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ଗେହଲଟଙ୍କ ଅନୁଗତ ବିଧାୟକମାନେ ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ବାସଭବନରେ ଏକାଠି ହୋଇଥିଲେ। ପରେ ସେମାନେ ବାଚସ୍ପତିଙ୍କୁ ତାଙ୍କ ବାସଭବନରେ ଭେଟି ସମୂହ ଇସ୍ତଫା ଦେଇଥିଲେ। ନୂଆ ମୁଖ୍ୟମନ୍ତ୍ରୀ ମନୋନୟନ ନିମନ୍ତେ ରବିବାର ସନ୍ଧ୍ୟାରେ ଗେହଲଟଙ୍କ ବାସଭବନରେ କଂଗ୍ରେସ ବିଧାୟକଙ୍କ ବୈଠକ ହେବାକୁ ଥିବାବେଳେ ଏହା ପୂର୍ବରୁ ଶାସକ ଦଳରେ ଏପରି ଅଚଳବାସ୍ଥା ସୃଷ୍ଟି ହୋଇଛି।
ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଏଆଇସିସି ମହାସଚିବ କେ.ସି. ବେଣୁଗୋପାଳ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଅଶୋକ ଗେହଲଟ୍‌ଙ୍କୁ ରାଜସ୍ଥାନ ରାଜନୈତିକ ପରିସ୍ଥିତି ସୁଧାରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ସ୍ଥିତି ତାଙ୍କ ନିୟନ୍ତ୍ରଣରେ ନାହିଁ କହି ସେ ଓହରି ଯାଇଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେ କି, ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର କହିଛନ୍ତି ଯେ ନେତୃତ୍ବ ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କ ମତାମତ ନ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ନାହିଁ।
ଗେହଲଟଙ୍କ ନେତୃତ୍ବକୁ ବିରୋଧ କରି ୨୦୨୦ ଜୁଲାଇରେ ସଚିନ ପାଇଲଟ ବିଦ୍ରୋହ କରିଥିଲେ। ସଚିନଙ୍କ ସହିତ ତାଙ୍କର ୧୮ ଅନୁଗତ ବିଧାୟକ ସରକାରରୁ ଓହରିଯିବାକୁ ଧମକ ଦେଇଥିଲେ। ସଚିନଙ୍କ ବିଦ୍ରୋହକୁ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଆଶଙ୍କା ଦେଖାଯାଇଥିଲା। ମାତ୍ର ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ସଚିନ ବିଦ୍ରୋହରୁ ଓହରିଥିଲେ। ବିଦ୍ରୋହ ପରେ ସଚିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ପିସିସି ଅଧ୍ୟକ୍ଷ ପଦରୁ ହଟାଯାଇଥିଲା। ଦଳୀୟ ସରକାର ବିରୋଧରେ ବିଦ୍ରୋହ କରିଥିବା ସଚିନ ଏବେ ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ଦିଗରେ ସଚିନଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ରହିଥିବା ଜଣାଯାଇଛି। ​
ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଗେହଲଟ ଯୁବ ବର୍ଗର ନେତୃତ୍ବକୁ ପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ଯୁବବର୍ଗଙ୍କ ହାତରେ ସରକାରର ନେତୃତ୍ବ ଦିଆଯିବା ଦରକାର। ଏହା ପୂର୍ବରୁ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଲାଗି ବରିଷ୍ଠ ନେତା ସିପି ଜୋଷୀଙ୍କ ନାମକୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପରାମର୍ଶଦାତା ତଥା ସ୍ବାଧୀନ ବିଧାୟକ ସାନ୍ୟମ ଲୋଧା କହିଛନ୍ତି ଯେ ସମସ୍ତେ ଚାହଁୁଛନ୍ତି ଗେହଲଟ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖନ୍ତୁ। ଗେହଲଟ ଯଦି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ରାଜ୍ୟ ସରକାରର ପତନ ଘଟିବ।
ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଲାଲ ମୀନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ହାଇକମାଣ୍ଡ ଯାହାକୁ ପସନ୍ଦ କରିବେ ସିଏ ମୁଖ୍ୟମନ୍ତ୍ରୀ ହେବେ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୭ ରହିଛି। ନିର୍ବାଚିତ ସରକାରର କାର୍ଯ୍ୟକାଳ ଆସନ୍ତାବର୍ଷ ଶେଷ ହେବ।

Comments are closed.