ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ; ଇସ୍ତଫା ଦେଲେ କୃଷିମନ୍ତ୍ରୀ

ଜୟପୁର: ଲୋକସଭା ନିର୍ବାଚନରେ କଂଗ୍ରେସ ଶାସିତ ରାଜସ୍ଥାନରେ ଧୂଳିଚାଟିଛି କଂଗ୍ରେସ। ଦଳ ଗୋଟିଏ ହେଲେ ଆସନରେ ବିଜୟ ହାସଲ କରିପାରି ନାହିଁ। ଏପରି ବିଫଳତା ପାଇଁ ଅଧିକାଂଶ ବିଧାୟକ ଏବଂ ମନ୍ତ୍ରୀ ଦଳର ନେତୃତ୍ଵକୁ ଦାୟୀ କରିଛନ୍ତି। ଫଳରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି। ଏହା ମଧ୍ୟରେ ରାଜ୍ୟର କୃଷି ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଲାଲଚାନ୍ଦ କଟାରିଆ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନରେ ଦଳର ସମ୍ପୂର୍ଣ୍ଣ ପରାଜୟ ପରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଠିକ୍‌ ନୁହେଁ, ତେଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କଟାରିଆ କହିଛନ୍ତି। ତେବେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ସମସ୍ତ ୨୫ଟି ଆସନରେ କ୍ଲିନ ସୁଇପ୍‌ କରିଛନ୍ତି। ଏହା ପରେ କଂଗ୍ରେସ ଭିତରେ ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଅନେକ ବିଧାୟକ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ଏବଂ ଇସ୍ତଫା ଦାବି କରିଛନ୍ତି।

ସମବାୟ ମନ୍ତ୍ରୀ ଉଦୟ ଲାଲ ଅଞ୍ଜନା ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ରମେଶ ମୀନା ଦଳର ପ୍ରଦର୍ଶନ ଏବଂ ବିଫଳତା ଉପରେ ସମୀକ୍ଷା କରିବାକୁ ଆହ୍ବାନ କରିଛନ୍ତି। ଦଳର ଆତ୍ମସମୀକ୍ଷା ଜରୁରୀ ବୋଲି ମୀନା କହିଛନ୍ତି। ସେହିପରି ଯୋଥପୁର ଲୋକସଭା ଆସନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯିବା ଉପରେ ଅଞ୍ଜନା ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନୀ ଫଳାଫଳ ଆଶାଠାରୁ ବହୁତ କମ୍‌ ବୋଲି ସେ କହିଛନ୍ତି।

Comments are closed.