ମାଟି କାନ୍ଥପଡି ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲା ବିଶୋଇ ଵ୍ଲକ ଅନ୍ତର୍ଗତ ଭୋଳବେଡା ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିଛି । ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମାଟି କାନ୍ଥ ଭୁଶୁଡି ପଡିବାଫଳରେ ଗୋଟିଏ ପରିବାରର ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଭଉଣୀ ହେଉଛନ୍ତି ସେହି ଗ୍ରାମର ଅନୀଲ ଗିରିଙ୍କ ଝିଅ ସୁଇଟି ଗିରି (୧୨ବର୍ଷ) ଓ ନିହାରିକା ଗିରି (୬ବର୍ଷ) ।  ଗତକାଲି ରାତିରେ ଲଘୁଚାପ ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ଭୋଳବେଡା ଗ୍ରାମର ଅନୀଲ ଗିରିଙ୍କ ଘର କନ୍ଥ ଭୁଶୁଡି ପଡିଥିଲା । ଘରେ ଶୋଇଥିବା ବେଳେ ତାଙ୍କ ଦୁଇ ଝିଅ ସୁଇଟି ଓ ନିହାରିକା କାନ୍ଥ ତଳେ ଚାପି ହୋଇଯାଇଥିଲେ ।

ଏହା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଗାଁ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବାପା ଅନୀଲ ଗିରି ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମୃତ ଝିଅଙ୍କ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି । ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି । ଏନେଇ ବାମନଘାଟୀ ଉପଜିଲାପାଳ ସରୋଜ କୁମାର ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏ ଦୁଃଖଦ ଘଟଣା ନେଇ ରାଜ୍ୟ ମୁଖ୍ୟ ରିଲିଫ କମିଶନର ଓ ମୟୂରଭଞ୍ଜ ଜିଲାପାଳଙ୍କୁ  ଜଣାଇ ଦିଆଯାଇଛି ।

Comments are closed.