ଆଇପିଏଲ୍‌ର ଆସନ୍ତା ସଂସ୍କରଣ ସିଏସ୍‌କେ ତରଫରୁ ଖେଳି​ବେ ରାଇନା

ଚେନ୍ନାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆସନ୍ତା ସଂସ୍କରଣରେ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳ ତରଫରୁ ଖେଳିବେ। ୟୁଏଇରେ ଆୟୋଜିତ ଆଇପିଏଲ୍‌ର ଚଳିତ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରାଇନା ହଠାତ୍‌ ଦଳ ଛାଡ଼ି ଭାରତ ଫେରି ଆସିଥିଲେ।
ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରି ଆସିିଥିବା ଆଲୋଚନା ହେଉଥିବା ବେଳେ ଦଳ ମଧ୍ୟରେ କିଛିଟା ବିବାଦ ଦେଖା ଦେବା ଫଳରେ ରାଇନା ଭାରତ ଫେରିଥିବା ଆଉ କେତେକ ମହଲରେ ଚର୍ଚ୍ଚା ହେଉଥିଲା। ସିଏସ୍‌କେ ତରଫରୁ ରାଇନା ଆଇପିଏଲ୍‌ର ଚଳିତ ସଂସ୍କରଣ ଖେଳିନଥିବାରୁ ତାଙ୍କୁ ଆଗାମୀ ସଂସ୍କରଣ ନିମନ୍ତେ ଦଳରୁ ବାଦ୍‌ ଦିଆଯିବ ବୋଲି ଶୁଣାଯାଉଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସିଏସ୍‌କେ ଦଳର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ରାଇନାଙ୍କୁ ସିଏସ୍‌କେ ଦଳରୁ ବାଦ୍ ଦିଆଯିବ ନାହିଁ ଏବଂ ସେ ଆସନ୍ତା ସଂସ୍କରଣ ସିଏସ୍‌କେ ତରଫରୁ ଖେଳିବେ ବୋଲି ଅଧିକାରୀଜଣକ ସ୍ପଷ୍ଟ କରି ଦେଇଛନ୍ତି।
କିଛିଦିନ ତଳେ ମୁମ୍ବଇର ଏକ କ୍ଲବରେ କୋଭିଡ୍‌ ନିୟମ ଭଙ୍ଗ କରିବା ଅଭିଯୋଗରେ ରାଇନା ଗିରଫ ହୋଇ ଜାମିନ୍‌ରେ ଛାଡ଼ ପାଇଥିବା ସଂପର୍କରେ ଅଧିକାରୀଜଣକ କହିଥିଲେ ରାଇନାଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ଦଳ ମୁଣ୍ଡ ଖେଳାଇବାକୁ ଚାହୁଁ ନାହିଁ।

Comments are closed.