ଲଘୁଚାପ କ୍ଷେତ୍ର ପ୍ରଭାବ : ୨୫ ରୁ ୨୮ ପ୍ରବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଗତକାଲିର ଘୂର୍ଣ୍ଣିବଳୟ ଆଜି ମିଆଁମାର ଉପକୂଳ ତତ୍‌ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ଏହାର ପ୍ରଭାବରେ ଶୁକ୍ରବାର ସନ୍ଧ୍ୟା ବେଳକୁ ଉପରୋକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ଓଡ଼ିଶା ଆଡ଼କୁ ମୁହଁାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୨୫ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୫ ରାତିରୁ ବର୍ଷା ବଢ଼ି ୨୬ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ, କଟକ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବ ଦ୍ବାରା ୨୭ରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ ଏବଂ ନୂଆପଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ହଳଦିଆ ଚେତାବନୀ (ୟେଲୋ ୱାର୍ଣ୍ଣିଂ)ଜାରି କରିଛି। ମୌସୁମିଜନିତ ନିମ୍ନ ଚାପରେଖା ରାଜସ୍ଥାନର ଜୈସଲ୍‌ମାରରୁ ବାହାରି ଓଡ଼ିଶାର ଝାରସୁଗୁଡ଼ା ଓ ପୁରୀ ମଧ୍ୟ ଦେଇ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏଥିସହିତ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଛତିଶଗଡ଼ ଏବଂ ଏହାର ପାର୍ଶ୍ବବର୍ତ୍ତୀରେ ସମୁଦ୍ର ପତ୍ତନରୁ ୫.୮କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆଜି ସକାଳ ସୁଦ୍ଧା ମିଆଁମାର ଯାଙ୍ଗନ ସହର ଦକ୍ଷିଣ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି (ଶୁକ୍ରବାର) ସୁଦ୍ଧା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଉତ୍ତର ପଶ୍ଚିମ ଦିଗ‌େ‌ର ମିଆଁମାର ସ୍ଥଳଭାଗ ଦେଇ ଏହାର ଉତ୍ତର ଉପକୂଳରେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଅବସ୍ଥିତ ହେବ। ତା’ପରେ ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ରାତିରେ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ। ଏହାପରେ ୨୭ରେ ଉତ୍ତର ଭାରତରେ ଥିବା ଲଘୁଚାପ ବଳୟ ସହିତ ମିଶ୍ରଣ ହେବ। ଆକଳନ କରାଯାଉଛି ଏହି ଲଘୁଚାପ ପ୍ରଭାବରେ ୨୫ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶା ଏବଂ ୨୬ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୮ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ କମ ରହିବ।

Comments are closed.