କମୁଛି ତାତି, ୪ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ବର : ଗୋଟିଏ ଦୁଇଟି ଜିଲାକୁ ଛାଡ଼ିଦେଲେ ରାଜ୍ୟରେ ତାତି କମିଛି। ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୩ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି। ତାଳଚେରରେ ପାରଦ ୪୦ଡ଼ିଗ୍ରୀ ଉପରେ ରହିଛି। ଦୀର୍ଘ ଦୁଇ ସପ୍ତାହ ଧରି ଜଳୁଥିବା ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଛି। ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ ପାରଦ ଖସୁଥିବା ଜଣାପଡ଼ିଛି। ତେବେ ଆଗାମୀ ୪ଦିନ ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ଓ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୋଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଦେବଗଡ଼ ଆଦି ୧୨ଟି ଜିଲାରେ ୫୦ରୁ ୬୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ଏହାଛଡ଼ା ଗଜପତି, କନ୍ଧମାଳ, ଦେବଗଡ଼, କେନ୍ଦୁଝର, ଗଞ୍ଜାମ, ଅନୁଗୋଳ, ଢ଼େଙ୍କାନାଳ ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୩ଦିନରେ ଜୁନ ପହିଲାରୁ ୩ତାରିଖ ମଧ୍ୟରେ ଦକ୍ଷିଣ , ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ଏବଂ ବଜ୍ରପାତର ସମ୍ଭାବନାରହିଛି। ଉପକୂଳ ଅଞ୍ଚଳରେ ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।
ଆସନ୍ତା ୪ଦିନ ଭିତରେ ସର୍ବାଧିକ ତାପମାତ୍ରାରେ ବଡ଼ ଧରଣର ପରିବତ୍ତନର ସମ୍ଭାବନା ନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ବାଲେଶ୍ବରରେ ସର୍ବାଧିକ ୪୩ମିମି ବର୍ଷା ରେକର୍ଡ଼ କରାଯାଇଛି। କଟକରେ ୧୦, ଅନୁଗୋଳରେ ୧୩, ଝାରସୁଗୁଡ଼ାରେ ୩୦, ସମ୍ବଲପୁରରେ ୧୪, ହୀରାକୁଦରେ ୧୯ କୋରାପୁଟ​ରେ ୩୯, ଟିଟିଲାଗଡ଼ରେ ୧୨, ପାରଳାଖେମୁଣ୍ଡିରେ ୧୬ ଏବଂ ରାୟଗଡ଼ାରେ ୩୬ମିମି ବର୍ଷା ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କମୁଛି

Comments are closed.