ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ୱଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ କମିଯାଇଛି। ତେବେ ଦକ୍ଷିଣ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଥିବାରୁ ମୌସୁମି ଟ୍ରଫ ଲାଇନ ଏବେ ସକ୍ରିୟ ରହିବା ସହିତ କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ଦୁର୍ବଳ ହୋଇଯାଇଥିଲେ ହେଁ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ବର୍ଷାର ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ୨୪ଘଣ୍ଟାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ, କିନ୍ତୁ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ। ତେବେ ଳଘୁଚାପ ପ୍ରଭାବରେ ୧୧ରୁ ବର୍ଷା ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୯ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ସୃଷ୍ଟି ହେବାର ୨୪ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୧ରୁ ୧୩ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ଲଘୁଚାପ ସମୟରେ ଆସନ୍ତା ୧୦ ତାରିଖଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି ସେମାନେ ୧୦ତାରିଖ ପୂର୍ବରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

Comments are closed.