୮ସୁଦ୍ଧା ଲଘୁଚାପ : ମୌସୁମିକୁ ବାଟ କଢ଼ାଇବ

ଭୁବନେଶ୍ବର : ଉତ୍ତର ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଆସନ୍ତା ଜୁନ ୮ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାକୁ ମୌସୁମି ମୁହଁାଇବାରେ ଏହା ସହାୟକ ହୋଇପାରେ। ତେବେ ଓଡ଼ିଶାକୁ ଜୁନ ୯ରୁ ୧୧ ଭିତରେ ମୌସୁମି ପ୍ରବେଶ କରିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ ଡ଼ିମ୍ଡ଼ ଟୁବି ୟୁନିଭର୍ସିଟି ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ପକ୍ଷରୁ ଆକଳନ କରାଯାଇଛି।
ଲଘୁଚାପ ସୃଷ୍ଟି ହେବା ଫଳରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପୂର୍ବ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିପାରେ ବୋଲି ସିଇସିର ନିର୍ଦେଶକ ଡ.ଶରତଚନ୍ଦ୍ର ସାହୁ କହିଛନ୍ତି। ସମ୍ପ୍ରତି ଦକ୍ଷିଣପୂର୍ବ ଏବଂ ଏହାର ସଂଲଗ୍ନ ପୂର୍ବ ମଧ୍ୟ ଆରବସାଗରରେ ଲଘୁଚାପ ଘନିଭୂତ ହୋଇଛି। ମଙ୍ଗଳବାର ସକାଳ ସାଢ଼େ ୮ ଟା ସୁଦ୍ଧା ଏହା ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୪୫୦ କିମି ଦୂରରେ ଗଭୀର ଅବପାତର ରୂପ ନେଇଛି । ଏହା ଘୂର୍ଣ୍ଣିଝଡରେ ପରିଣତ ହୋଇ ବୁଧବାର ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ତେବେ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଏବଂ ବଲାଙ୍ଗୀର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାର ଠାରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

Comments are closed.