ଓଡ଼ିଶାରେ ରେଳପଥ: ସମସ୍ୟା ଓ ପ୍ରତିକାର

(ବଳଭଦ୍ର ମାଝୀ) : ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦ୍ବୀପ ରେଳପଥର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଓଡ଼ିଶାର ବିକାଶ ରାସ୍ତା ଖୋଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭବିଷ୍ୟତରେ ଏହି ରେଳପଥକୁ ଆଧାର କରି ଉପକୂଳ ଓଡ଼ିଶାରେ ବହୁ ଶିଳ୍ପସଂସ୍ଥା ଗଢ଼ି ଉଠିବ ଏବଂ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ରୋଜଗାର ମିଳିପାରିବ। ଏଥିସହିତ କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ଷ୍ଟିଲ୍‍ ହବରେ ପରିଣତ କରିବା ଏବଂ ବନ୍ଦର ନଗରୀ ପାରାଦ୍ବୀପକୁ ଏକ ପ୍ରମୁଖ ଆର୍ଥିକ କେନ୍ଦ୍ର ଭାବେ ଗଢ଼ିବା ଲକ୍ଷ୍ୟ ମଧ୍ୟ ସାକାର ହେବ।

ବିଶ୍ୱର ଯେକୌଣସି ପ୍ରମୁଖ ଦେଶର ଆର୍ଥିକ ମେରୁଦଣ୍ଡ ହେଉଛି ସେହି ଦେଶର ଉନ୍ନତ ପରିବହନ ବ୍ୟବସ୍ଥା। ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ଆଗାମୀ ଦିନରେ ଦେଶର ଆର୍ଥିକ ବିକାଶରେ ଇଞ୍ଜିନ ହେବାର ସମସ୍ତ ସମ୍ଭାବନା ରହିଛି। କମ୍‍ ଖର୍ଚ୍ଚରେ ମାଲ ଓ ଯାତ୍ରୀ ପରିବହନ କେବଳ ରେଳଗାଡ଼ି ଚଳାଚଳ ଦ୍ୱାରା ହିଁ ହୋଇପାରିବ। ତେଣୁ ଓଡ଼ିଶାର ବିକାଶ ଏବଂ ରେଳ କ୍ଷେତ୍ରରେ ବିକାଶ ଉଭୟ ପରିପୂରକ। ଅପରପକ୍ଷରେ ରାଜ୍ୟରେ ରେଳପଥ ନିର୍ମାଣରେ ମନ୍ଥରଗତିର ପ୍ରମୁଖ କାରଣ ହେଉଛି ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ। ଏଥିସହିତ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜୁଛି। ସମାନ କାରଣ ଯୋଗୁଁ ତତ୍କାଳୀନ ରେଳମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ୪ ଅପ୍ରେଲ ୧୯୯୯ରେ ଶୁଭାରମ୍ଭ ହୋଇଥିବା(୧୯୯୫-୯୬ ରେଳ ବଜେଟରେ ଏହି ପ୍ରକଳ୍ପ ସ୍ଥାନ ପାଇଥିଲା) ହରିଦାସପୁର-ପାରାଦ୍ବୀପ(୮୨ କିମି) ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୦୪(ଧାର୍ଯ୍ୟ ଲକ୍ଷ୍ୟ) ବଦଳରେ ୨୦୨୦ରେ ସରିଛି ଏବଂ ଜୁଲାଇ ୨୪ରେ ନୂତନ ରେଳପଥରେ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼ିଛି।

ବିଗତ ବର୍ଷଗୁଡ଼ିକରେ ଓଡ଼ିିଶାକୁ ମିଳିଥିବା ରେଳ ଅନୁଦାନର ତଥ୍ୟ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ରାଜ୍ୟକୁ ଅନୁଦାନ ରାଶି ବଢ଼ିଛି ସତ; ମାତ୍ର ସେହି ଅନୁପାତରେ ରେଳ ପ୍ରକଳ୍ପ ନିର୍ମାଣ ବୃଦ୍ଧି ପାଇନାହିଁ। ଅନୁଦାନ ରାଶି କାହିଁକି ଖର୍ଚ୍ଚ ହୋଇ ପାରୁନାହିଁ, ତାର କାରଣ ଆମକୁ ହିଁ ଖୋଜି ବାହାର କରିବାକୁ ପଡ଼ିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥ(୨୮୯ କିଲୋମିଟର)କୁ ବିଳମ୍ବିତ ପ୍ରକଳ୍ପର ଆଉ ଏକ ଉଦାହରଣ ରୂପେ ନିଆଯାଇପାରେ। ୧୯୯୫ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅଦ୍ୟାବଧି ସଂପୂର୍ଣ୍ଣ ହୋଇପାରୁନାହିଁ। ଗତ ଜାନୁଆରୀ ୨୪ରେ ‘ପ୍ରଗତି’ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିବା ପରେ ୨୦୨୩ ମାର୍ଚ୍ଚ ସୁଦ୍ଧା ରେଳପଥ ନିର୍ମାଣ ସଂପୂର୍ଣ୍ଣ ହେବା ନେଇ ଆଶାସଞ୍ଚାର ହୋଇଛି। ରେଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତିନାମା ଅନୁଯାୟୀ ଦଶପଲ୍ଲା-ସୋନପୁର ଖଣ୍ଡ ପାଇଁ ରାଜ୍ୟ ସରକାର ମାଗଣା ଜମି ପ୍ରଦାନ କରିବେ। ଗତ ଫେବୃଆରୀ ୧୩ ତାରିଖରେ ଓଡ଼ିଶା ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଅଗଷ୍ଟ ସୁଦ୍ଧା ଦଶପଲ୍ଲା-ବୌଦ୍ଧ ଖଣ୍ଡ ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ହସ୍ତାନ୍ତର କରାଯିବ; କିନ୍ତୁ ଇତିମଧ୍ୟରେ କରୋନା ଜନିତ କଟକଣା ନିଶ୍ଚିତ ଭାବେ ଜମି ଅଧିଗ୍ରହଣ ଓ ଧାର୍ଯ୍ୟ ନିର୍ମାଣ ଲକ୍ଷ୍ୟକୁ ବିଳମ୍ବିତ କରିବ।

ସେହିପରି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗହଣ କରି ରେଳବାଇକୁ ହସ୍ତାନ୍ତର ନକଲେ ଅଥବା ହସ୍ତାନ୍ତର ସରିଥିବା ଜମିରୁ ଲୋକଙ୍କୁ ଅନ୍ୟତ୍ର ଥଇଥାନ ନ କଲେ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ ହୋଇପାରିବ ନାହିଁ ବୋଲି ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଁଙ୍ଗାଡ଼ି କହିଛନ୍ତି। ୧୫୪ କିଲୋମିଟର ଲମ୍ବ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ୩୯୦ ହେକ୍ଟର ରାଜସ୍ୱ ଜମି ଅଧିଗ୍ରହଣ ବାକି ରହିଛି। ସେହିପରି ୨୪୫ ହେକ୍ଟର ଜଙ୍ଗଲ ଜମି ରେଳବାଇକୁ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରି ନାହିଁ। ୩୨୫୫୦ଟି ଗଛକୁ କାଟିବା କାର୍ଯ୍ୟ ଅଟକି ରହିଛି। ୨୦୨୦-୨୧ ବଜେଟରେ ଏହି ରେଳପଥ ନିର୍ମାଣ ପାଇଁ ୧୪୦ କୋଟି ବ୍ୟୟ ବରାଦ ହୋଇଛି। ଅଦ୍ୟାବଧି ୨୦ କିଲୋମିଟର ଦୀର୍ଘ ତାଳଚେର-ସୁନାଖଳି ସେକ୍ସନର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ପରବର୍ତ୍ତୀ ୨୩.୫ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି।

ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ୧୯୯୭-୯୮ ବର୍ଷରେ ସ୍ୱୀକୃତିପ୍ରାପ୍ତ ହୋଇଥିଲା। ପ୍ରକଳ୍ପ ପାଇଁ ୧୮୫୦.୩୦୦ ଏକର ଜମି ଆବଶ୍ୟକ ପଡ଼ୁଥିବା ବେଳେ ମାତ୍ର ୧୩୬୫.୪୮୧ ଏକର ଜମି ଅଧିଗ୍ରହଣ ସରିଛି। ଆହୁରି ୪୮୪.୮୨ ଏକର ଜମି ହସ୍ତାନ୍ତର କରିବାକୁ ବାକି ରହିଛି। ଏପରିକି ସରକାରୀ ଜମି ମଧ୍ୟ ପୂରାମାତ୍ରାରେ ରେଳ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଜମି ଅଭାବରୁ ୧୩୯୮ କୋଟି ଅନୁଦାନ ରାଶିରୁ ମାତ୍ର ୯୬୦ କୋଟି ଖର୍ଚ୍ଚ ହୋଇଛି। ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୫୦ କୋଟି ମିଳିଥିବା ବେଳେ ୨୦୨୦-୨୧ ବର୍ଷରେ ୪୫୦ କୋଟି ଅନୁଦାନ ମିଳିଛି।
ନବରଙ୍ଗପୁର ସାଂସଦ ଭାବେ ମୋର କାର୍ଯ୍ୟକାଳରେ ୨୦୧୬ ମସିହାରେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଜୟପୁର-ମାଲକାନଗିରି (୧୩୦ କିଲୋମିଟର) ଓ ଜୟପୁର-ନବରଙ୍ଗପୁର (୩୮ କିଲୋମିଟର) ରେଳ ପ୍ରକଳ୍ପ ନିର୍ମାଣ ମଞ୍ଜୁର ହୋଇଥିଲା। ଇତିମଧ୍ୟରେ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ରେଳବାଇକୁ ଜମି ହସ୍ତାନ୍ତର ହୋଇପାରି ନାହିଁ। ପୂର୍ବରୁ ପ୍ରକଳ୍ପ ନିର୍ମାଣ ବାବଦରେ ମିଳିଥିବା ୨୧୯.୦୨ କୋଟି ଟଙ୍କା ଓ ୩୬୫ କୋଟି ଟଙ୍କାର ବଜେଟ ଅନୁଦାନ ଜମି ଅଭାବରୁ ଖର୍ଚ୍ଚ ହୋଇପାରିନଥିଲା। ଚଳିତ ବର୍ଷ ପ୍ରକଳ୍ପ ପାଇଁ ଯଥାକ୍ରମେ ୩୩ କୋଟି ଓ ୨୦ କୋଟି ଟଙ୍କା ଅନୁଦାନ ମିଳିଥିଲେ ମଧ୍ୟ ଖର୍ଚ୍ଚ ହେବା ସମ୍ଭାବନା କ୍ଷୀଣ ରହିଛି।

ଓଡ଼ିଶାର ଆର୍ଥିକ ବିକାଶ ପାଇଁ ଗୁଣୁପୁର-ଥେରୁବାଲି (୭୯.୪ କି.ମି), ଯୁଜୁମରା-ଚାକୁଳିଆ (୫୫ କି.ମି), ଜଳେଶ୍ୱର-ଦୀଘା (୪୧ କି.ମି) ଆଦି ସମୁଦାୟ ୯ଟି ନୂତନ ରେଳପ୍ରକଳ୍ପ ନିର୍ମାଣ ଚାଲିଛି। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ସମୁଦାୟ ୧୧୪୨ କିଲୋମିଟର ରେଳପଥ ନିର୍ମାଣ ହେବ। ସେହିପରି ୨୦୨୦-୨୧ ବଜେଟରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ (୨୪୧ କି.ମି), କିରିବୁରୁ-ବଡ଼ବିଲ (୨୫ କି.ମି) ନୂତନ ରେଳପଥ ନିର୍ମାଣ ପ୍ରସ୍ତାବକୁ ସାମିଲ କରାଯାଇଛି। ଏହାବ୍ୟତୀତ ୨୧ଟି ଦୋହରୀକରଣ ପ୍ରକଳ୍ପ ଚାଲିଛି। ତନ୍ମଧ୍ୟରୁ ସମ୍ବଲପୁର-ଟିଟଲାଗଡ଼, ଟିଟଲାଗଡ଼-ରାୟପୁର, ଟିଟଲାଗଡ଼-ବିଜୟାନଗରମ ୩ୟ ଲାଇନ, ବାଂଶପାଣି-ଜଖପୁରା, କୋରାପୁଟ-ରାୟଗଡ଼ା, କୋରାପୁଟ-ଜଗଦଲପୁର, ରାଉରକେଲା-ଝାରସୁଗୁଡ଼ା ୩ୟ ଓ ୪ର୍ଥ ଲାଇନ, ଝାରସୁଗୁଡ଼ା-ଚାମ୍ପା-ବିଳାଶପୁର ୩ୟ ଓ ୪ର୍ଥ ଲାଇନ, ଖଡ଼ଗପୁର-ଭଦ୍ରକ ତୃତୀୟ ଲାଇନ, ଭଦ୍ରକ-ବିଜୟନଗରମ ୩ୟ ଲାଇନ, ନିର୍ଗୁଣ୍ଡି-ତାଳଚେର ୩ୟ ଓ ୪ର୍ଥ ଲାଇନ ଆଦି ପ୍ରମୁଖ ପ୍ରକଳ୍ପ ରହିଛି। ଓଡ଼ିଶାରେ ଏବେ ମଧ୍ୟ ୧୯ଟି ନୂଆ ଲାଇନ ଓ ଦୋହରୀକରଣ ପ୍ରକଳ୍ପ ପାଇଁ ୧୫,୪୭୩ ଏକର ଜମି ଅଧିଗ୍ରହଣ ବାକି ରହିଛି। ଏଥିମଧ୍ୟରୁ ଅଧିକାଂଶ ହେଉଛି ନୂଆ ପ୍ରକଳ୍ପ।

ଅନ୍ୟପଟେ ଓଡ଼ିଶାର ଅଧିକାଂଶ ରେଳପଥ ବିଦ୍ୟୁତ୍‌କରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ଏଥିପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ୁନଥିବାରୁ ବିନା ବାଧାରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରୁଛି। ଓଡ଼ିଶାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ଏବଂ ଏଥିରେ ସେମାନଙ୍କୁ ସଂଶ୍ଲିଷ୍ଟ କରାଯିବା ନିହାତି ଦରକାର। ପ୍ରଶାସନିକସ୍ତରରେ ଜମିହରାଙ୍କୁ ବିଶ୍ୱାସକୁ ନେଇ ଉଚିତ୍‍ କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ କରାଯିବା ଆବଶ୍ୟକ। ଜନହିତରେ ଲୋକ ନିଜ ପୂର୍ବପୁରୁଷଙ୍କ ଭିଟାମାଟି ଛାଡ଼ି ଦେଇଥିବା ଅନେକ ନଜିର ରହିଛି। ସେହିପରି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ ମଧ୍ୟ ସରକାରୀ ସ୍ତରରେ ତତ୍ପରତା ରହିବା ଉଚିତ।

ଜମି ଅଧିଗ୍ରହଣରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆବଶ୍ୟକ କର୍ମଚାରୀଙ୍କ ଅଭାବ। ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ଯ୍ୟାଳୟରେ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେଉନାହିଁ। ସାଧାରଣତଃ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜମି ଅଧିଗ୍ରହଣ ପରିକଳ୍ପନା କରାଯାଏ। ଓଡ଼ିଶାରେ ବହୁ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ କମିସନର ରେଳ କୋଡିନେସନଙ୍କ କାର୍ଯ୍ୟାଳୟରେ ଅଧିକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ମାଧ୍ୟମରେ ଭିତ୍ତିଭୂମି ସୁଦୃଢ଼ କରାଯାଉ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଉ। ସେହିପରି ଜମି ଅଧିଗ୍ରହଣ ପାଇଁ ରେଳମନ୍ତ୍ରାଳୟଠାରୁ ଅଗ୍ରୀମ ଅର୍ଥ ନେଇ ଓଡ଼ିଶା ସରକାର ଏକ କର୍ପସ ପାଣ୍ଠି ଗଠନ କରନ୍ତୁ ଏବଂ ଜମି ବାବଦରେ କ୍ଷତିପୂରଣ ରାଶି ତୁରନ୍ତ ଦିଆଯାଉ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ରେଳମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି।

Comments are closed.