ଆସନ୍ତା ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ୫୬ଟି ରେଳ ପ୍ରକଳ୍ପ : ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ୫୬ଟି ରେଳ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କହିଛି। ଦେଶର ବିଭିନ୍ନ ଜୋନ୍‍ଗୁଡ଼ିକରେ ଏଗୁଡ଼ିକ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇଯିବା ପରେ ରେଳ ଭିତ୍ତିଭୂମି ବିକାଶ ଘଟିବା ସହ ଭାରତୀୟ ରେଳ ନେଟୱାର୍କ ଆହୁରି ମଜବୁତ ହେବ। ଏକ ବିବୃତ୍ତିରେ ରେଳ ମନ୍ତ୍ରଣାଳୟ କହିଛି ଏ ବାବଦରେ ୨ ଲକ୍ଷ ୧୫ ହଜାର ୫୮ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ମନ୍ତ୍ରଣାଳୟ କହିଛି ତା’ ମଧ୍ୟରୁ ୧ ଲକ୍ଷ
୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସାଧାରଣ ବଜେଟରେ ସ୍ଥାନ ପାଇଛି। ରେଳବାଇ ବର୍ତ୍ତମାନଠାରୁ ଏହାର ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଏଥିସହିତ ନୂଆ ନୂଆ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି।
ମନ୍ତ୍ରଣାଳୟ କହିଛି, ନୂଆ ରେଳଲାଇନ ଗୁଡ଼ିକ ପାଇଁ ୪୦ ହଜାର ୯୩୨ କୋଟି ଟଙ୍କା ଆବଣ୍ଟନ ହୋଇଛି। ୨୬ ହଜାର ୧୧୬ କୋଟି ଟଙ୍କା ରେଳ ଲାଇନ୍‍ ଦୋହରୀକରଣ ପାଇଁ ବଣ୍ଟନ କରାଯାଇଥିବା ବେଳେ ୫ ହଜାର ୨୬୩ କୋଟି ଟଙ୍କା ରେଳବାଇ ଟ୍ରାଫିକ୍‍ ସୁବିଧା ପାଇଁ ଆବଣ୍ଟନ କରାଯାଇଛି। ମନ୍ତ୍ରଣାଳୟ କହିଛି ୨୦୨୧-୨୨ ବାର୍ଷିକ ଯୋଜନାରେ ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

Comments are closed.