ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରୁଛି ପୂର୍ବତଟ ରେଳପଥ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ-୧୯ ସଂକ୍ରମଣ ତଥା ୨୧ ଦିନିଆ ଲକ ଡାଉନ ସମୟରେ ଖାଦ୍ୟାଭାବକୁ ଦୂର କରିବ ପାଇଁ ରେଳ ମନ୍ତ୍ରଣାଳୟ ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ କରୁଛି। ରେଳବାଇ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଭଳି ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରୁଛି। ୨୧ ଦିନ ଆହ୍ୱାନକୁ ସାମ୍ନାରେ ରଖି ପୂର୍ବ ତଟ ରେଳପଥ ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ କୋଇଲା ଯୋଗାଣ ନିୟମିତ ଭାବେ ଜାରି ରଖିଥିବା ବେଳେ ପୂର୍ବତଟ ରେଳପଥର ପରିସୀମା ମଧ୍ୟରୁ ମାଲ ପରିବହନ କରି ଦେଶର ବିଭିନ୍ନ ସ୍ଥାନକୁ ଚାଉଳ ଯୋଗାଣ କରାଯାଉଛି। ହୀରାକୂଦ, ବଲାଙ୍ଗୀର, ବରଗଡ଼ ଏବଂ ଡୁଙ୍ଗୁରିପାଲି ଷ୍ଟେସନରୁ ରେଳବାଇ ଚାଉଳ ବୋଝେଇ କରି ସରେଇ, କଟିହାର, ଟାଟା, କରଯେରିଗ୍ରାମ, ଟତସିଲ୍ୱାଇ, ନାମକୋନ, ଜସିଡିହି, ମଧୁପୁର ଏବଂ ଦୁମ୍କାକୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରାଯାଉଛି।
ଅନ୍ୟ ପକ୍ଷରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥାନକୁ ତାଳଚେର, ପାରାଦ୍ୱୀପ, ବିଶାଖାପାଟଣା ଓ ଧାମରାଠାରୁ କୋଇଲା ପରିବହନ କରାଯାଉଛି। ତାଲାବନ୍ଦ ଘୋଷଣାର ୮ ଦିନ ବା ମାର୍ଚ୍ଚ ୨୨ ରୁ ୨୯ ପର୍ଯ୍ୟନ୍ତ ସମୁଦାୟ ୧୦୧୨ଟି ଟ୍ରେନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଛି।