ରେଲୱେ ଗେଟ୍ ନିକଟରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଭୂତଳ ରାସ୍ତା

ଲୋଇସିଂହା : ଲୋଇସିଂହା ଗ୍ରାମ ମଝିରେ ରେଲୱେ ଲାଇନ ରହିଥିବାରୁ ମୁଖ୍ୟ ରାସ୍ତା ଉପରେ ବର୍ଷ ବର୍ଷ ଧରି ରେଲୱେ ଫାଟକ ରହିଥିଲା। ମାତ୍ର କିଛି ବର୍ଷ ହେଲା ଉକ୍ତ ଲାଇନ ରେ ପୂର୍ବାପେକ୍ଷା ଅନେକ ଗୁଡିଏ ଟ୍ରେନ ଚଳାଚଳ ହେଉଥିବାରୁ ଏବଂ ଫାଟକ ପରିଚାଳନା ଷ୍ଟେସନ କଂଟ୍ରୋଲରେ ରହିଥିବାରୁ ପ୍ରାୟତଃ ଗେଟ୍ ପଡି ରହୁଥିଲା। ଏବେ ୨ୟ ଲାଇନ କାର୍ଯ୍ୟକ୍ଷମ ହେବାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡିଛି। ଗୋଟିଏ ପଟେ ଜନ ବସତି ଓ ବିଭିନ୍ନ ଧର୍ମାନୁଷ୍ଠାନ ତଥା ସାପ୍ତାହିକ ବଜାର, ଡାକଘର ଓ ପ୍ରାଥମିକ ଶିକ୍ଷାନୁଷ୍ଠାନ ଥିବା ବେଳେ ଅନ୍ୟ ପଟେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସ୍କୁଲ, କଲେଜ, ବସ୍ ଷ୍ଟାଣ୍ଡ, ବ୍ୟାଙ୍କ, ସ୍ୱାସ୍ଥ୍ର୍ୟକେନ୍ଦ୍ର ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିଛି। ଯଦ୍ୱାରା ଉକ୍ତ ଏକ ମାତ୍ର ରାସ୍ତାରେ ଯାତାୟାତ ପାଇଁ ସବୁବେଳେ ଗହଳି ରହିଥାଏ। ଟ୍ରେନ ଚଳାଚଳ ବେଳେ ଫାଟକରେ ଦୀର୍ଘ ସମୟ ଧରି ବନ୍ଦ ରହୁଥିବାରୁ ଅଟକିବାକୁ ପଡିଥାଏ।

ବିଶେଷ କରି କୌଣସି ରୋଗୀ କିମ୍ବା ଆସନ୍ନ ପ୍ରସବାଙ୍କୁ ହଠାତ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚାଇବା କଷ୍ଟକର ହେଉଥିବା ଯୋଗୁଁ ଅଂଚଳବାସୀ ବିକଳ୍ପ ରାସ୍ତା ପାଇଁ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ଗତ କିଛି ବର୍ଷ ତଳେ ତତ୍କାଳୀନ ମନ୍ତ୍ରୀ ତଥା ବିଧାୟକ ଯୋଗେନ୍ଦ୍ର ବେହେରା ଉକ୍ତ ସମସ୍ୟା ଅନୁଧ୍ୟାନ କରି ସ୍ଥାନୀୟ ପୂର୍ବ ଜିଲା ପରିଷଦ ସଭ୍ୟ ଅଶୋକ ବରିହା, ସ୍ୱେଚ୍ଛାସେବୀ ନଜୁର୍ଲ୍ଳା ଖା, ରଞ୍ଜନ ବେହେରା ସମେତ କେତେକ ବ୍ୟକ୍ତି ସହ ଆଲୋଚନା କରି ଏଠାରେ ବିକଳ୍ପ ବ୍ୟବସ୍ଥା ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ୨/୩ ଦିନ ପରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏଠାକୁ ଆସି ଫାଟକ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ଭୂତଳ ରାସ୍ତା ନିର୍ମାଣ ପାଇଁ ସ୍ଥାନ ନିରୂପଣ କରି ଆନୁସଙ୍ଗିକ ପୋଲ ସବୁ ନିର୍ମାଣ କରିଥିଲେ।

ଗତ ସପ୍ତାହରେ ଏଠାକୁ ବଡ ବଡ ମେସିନ ଦ୍ୱାରା ଦିନକ ମଧ୍ୟରେ ଉକ୍ତ ପୋଲ ସବୁକୁ ବସାଇ ରାସ୍ତା ନିର୍ମାଣ କରିଛନ୍ତି। ଏଣୁ କେଇ ଘଣ୍ଟା ପାଇଁ ଏଠାରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଖୁ୍ବ୍ ଶିଘ୍ର ଉକ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ମାତ୍ର ଜମି ଉପରେ ଏବଂ ରାସ୍ତା ତଳେ ରହିଥିବା ଏବଂ ଖୁବ୍ କମ ଗଭୀରତାରେ ପାଣି ବାହାରୁଥିବା ଯୋଗୁଁ ଏଠାରେ ସବୁ ବେଳେ ପାଣି ଜମି ରହିଲେ ଯାତାୟାତ ବାଧା ପ୍ରାପ୍ତ ହେବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହା ବ୍ୟତୀତ ଉକ୍ତ ରାସ୍ତାରେ ଆଲୁଅ ର ବ୍ୟବସ୍ଥା ନ ହେଲେ ରାତିରେ ଅସାମାଜିକ କାଯ୍ୟକଳାପ ବଢିବା ଆଶଙ୍କା ରହିଛି। ତେବେ କାମ ତଦାରଖ କରୁଥିବା ଜନୈକ ଇଂଞିନିୟର ସମସ୍ୟାର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.